ଖୋର୍ଦ୍ଧା: କାଇପଦର ଠାରେ ଥିବା ମୁସଲିମ ସୁଫୀ ବୋଖାରୀ ପୀର ପୀଠ ସର୍ବଧର୍ମ ସମନ୍ୱୟର ଏକ ଅନନ୍ୟ ଉଦାହରଣ। ବୋଖାରୀ ପୀଠ ଭାଇଚାରା ଭାବର ପ୍ରକୃଷ୍ଟ ବାର୍ତ୍ତା ବିଶ୍ୱକୁ ପ୍ରଦାନ କରିଛନ୍ତି ବୋଲି ଆଜି ଉର୍ସ ଉତ୍ସବ ଅବସରରେ କାଇପଦର ବୋଖାରୀ ପୀଠ ବିକାଶ ପରିଷଦ ଓ ବୋଖାରୀ ଖାଦିମ କମିଟି ପକ୍ଷରୁ ଆୟୋଜିତ ସଦ୍ଭାବନା ସଭା ଓ ସଂହତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଗଣେଶୀ ଲାଲ ଏହା କହିଛନ୍ତି। ପୂର୍ବାହ୍ନରେ ବୋଖାରୀ ପୀଠ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀଲାଲ କହିଥିଲେ ଯେ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ପ୍ରଚାର କରୁଥିବା ଏହି ପୀଠ ଅନନ୍ୟ। ଯେପରି ବିଭିନ୍ନ ଧର୍ମର ଲୋକ ଏଠାରେ ପୂଜାର୍ଚ୍ଚନା କରନ୍ତି ତାହା ବିରଳ ବୋଲି ଅଭିହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ମୁଜିବୁଲ୍ଲା ଖାଁନ ଓ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇ ଜଗନ୍ନାଥଙ୍କ ଭକ୍ତ ସାଲବେଗଙ୍କ ଜୀବନୀ, ଶ୍ରୀଜଗନ୍ନାଥଙ୍କ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ଆଦିର ଆଲୋଚନା କରିଥିଲେ।

Advertisment

ଏହି ସଭାରେ କାଇପଦର ବୋଖାରୀ ପୀଠ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିଲେ। ନିଜ ବକ୍ତବ୍ୟରେ, ପୀଠର ପୂଜା ପରମ୍ପରା ସମ୍ପର୍କରେ କହି ଏଠାରେ ଗୁଡ଼ ଭୋଗ ଓ ଫୁଲ ହିନ୍ଦୁ ଯୋଗାଇଥିବା ବେଳେ ଖାଦିମ ଓ ପୂଜକ ଭାବେ ମୁସିଲମ ମାନେ ପୂଜା କରିଥାନ୍ତି ବୋଲି କହିଥିଲେ। ଏହି ଅବସରରେ କାଇପଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ତରୁଣକାନ୍ତି ରାୟ ଓ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା, ନିସ୍ ଗ୍ରୁଫ୍ ଅଫ୍ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡଃ. ସୁଭାଷ ଚନ୍ଦ୍ର ନାୟକ ଓ ସହଯୋଗୀ ପ୍ରତିଷ୍ଠାତା ସ୍ମୃତି ସୁଧା ନାୟକ, ବୋଖାରୀ ପୀଠ ଖାଦିମ କମିଟିର କର୍ମକର୍ତା ପ୍ରମୁଖଙ୍କୁ ଶିକ୍ଷାର ବିକାଶ, ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଖାଦିମ୍ କମିଟିର ସଭାପତି ସେକ୍ ସନାଉଲ୍ଲା ଧନ୍ୟବାଦ ଦେଇଥିଲେ।