ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ଭତ୍ରା ଗାଁ ନିକଟରେ ଥିବା ଏକ କାଜୁ ମିଲ୍ ରୁ ୭.୫ କୁଇଣ୍ଟାଲ କାଜୁ ଚୋରି ମାମଲାରେ ୨ ଜଣକୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ସେମାନଙ୍କଠାରୁ ୧ଲକ୍ଷ ୬ ହଜାର ଟଙ୍କା ନଗଦ ଓ ୧କୁଇଣ୍ଟାଲ ୫ କେଜି କାଜୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ନବରଙ୍ଗପୁର ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ନିହାର ରଂଜନ ପ୍ରଧାନଙ୍କ ସୂଚନା ଅନୁଯାୟୀ ଭତରା ଗାଁ ନିକଟରେ ଥିବା ଭେଙ୍କଟ ସାଇ ନାମକ ଏକ କାଜୁ ମିଲରୁ ଗତ ୧୮ ତାରିଖ ଦିନ ବସ୍ତାରେ ଥିବା ୬.୫ କୁଇଣ୍ଟାଲ କାଜୁ ଓ ୧୦ ଗୋଟି ଟିନରେ ଥିବା ଏକ କୁଇଣ୍ଟାଲ ଏପରି ଭାବେ ମୋଟ ୭.୫ କୁଇଣ୍ଟାଲ କାଜୁ ଚୋରି ହୋଇଥିଲା। ଯାହାର ଦାମ ଥିଲା ୪.୫ ଲକ୍ଷ ଟଙ୍କା। ୨ ଦିନ କାଜୁ ମିଲ ବନ୍ଦ ଥିବାରୁ ଗତ ୨୦ ତାରିଖ ଦିନ ମିଲ ମାଲିକ କାଜୁ ମିଲକୁ ଖୋଲିବା ପାଇଁ ଯାଇଥିଲେ। ସେ ଦେଖିଲେ ମିଲର ମୁଖ୍ୟ ଫାଟକର ତାଲା ଭଙ୍ଗାଯାଇଛି। ଭିତରକୁ ଯାଇ ଦେଖିବା ବେଳକୁ ସମସ୍ତ କାଜୁ ଚୋରୀ ହୋଇଛି। ଚୋରି ସଂକ୍ରାନ୍ତରେ ମିଲ ମାଲିକ ଏନ.ଭେଙ୍କଟ ରାଓ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ।
ନବରଙ୍ଗପୁର ଥାନାରେ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ କେସ ନଂ ୯୨/୨୩ ରେ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିଲେ। ପୁଲିସ ତଦନ୍ତରୁ ଜଣାପଡିଲା ଯେ ବୋରିଗୁମ୍ମା ଥାନା ଅନ୍ତର୍ଗତ କୋଷାଗୁଡା ଗାଁର ପ୍ରହଲ୍ଲାଦ ହରୀଜନ ଉକ୍ତ କାଜୁ ମିଲରେ ମୁନସି ଭାବେ ଗତ ୨୦୨୨ ମସିହା ପର୍ଯ୍ୟନ୍ତ କାମ କରୁଥିଲା। ସେ ବିଜରାଗୁଡା ଗାଁର ନରହରୀ ଭତ୍ରା ସହିତ ମିଶି ଉକ୍ତ କାଜୁ ମିଲରୁ ଚୋରି କରିବା ପାଇଁ ଯୋଜନା କରିଥିଲା। ଗତ ୧୮ ତାରିଖ ଦିନ ରାତି ପ୍ରାୟ ୯ଟା ରେ ଉକ୍ତ କାଜୁ ମିଲ ନିକଟରେ ଏକ ଅଟୋ ନେଇ ପହଞ୍ଚିଥିଲେ। ପ୍ରହଲ୍ଲାଦ ହରୀଜନ ପ୍ରଥମେ ମୁଖ୍ୟ ଫାଟକର ତାଲା ଭାଙ୍ଗିବା ସହ ସିସିଟିଭି କ୍ୟାମେରାର ୱାଇରକୁ କାଟି ଦେଇଥିଲେ। ମିଲ ଭିତରେ ପଶି ୭.୫ କୁଇଣ୍ଟାଲ କାଜୁକୁ ଅଟୋରେ ଲୋଡ କରି ନେଇଯାଇଥିଲେ।
ଚୋରିର ପର ଦିନ ଉକ୍ତ ଚୋରି କାଜୁ ମଧ୍ୟରୁ କୋଲକତାର ଅମିତ ଜାନା ନାମକ ଜଣେ ବ୍ୟବସାୟୀକୁ ୪.୫ କୁଇଣ୍ଟାଲ କାଜୁକୁ ବିକ୍ରି କରି ୨ ଲକ୍ଷ ୬୦ ହଜାର ଟଙ୍କା ପାଇଥିଲେ। ସେହି ଟଙ୍କାରେ ପ୍ରହଲ୍ଲାଦ ୯୦ ହଜାର ଟଙ୍କାରେ ତାର ୨ଟି ପିକଅପ୍ ଭ୍ୟାନକୁ ମରାମତି କରିଥିଲା ଏବଂ ନରହରୀ ଭତ୍ରାକୁ ୩୦ ହଜାର ଟଙ୍କା ଦେବା ସହ ନିଜେ ୩୪ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ତା ପାଖରେ ୧ ଲକ୍ଷ ୬ ହଜାର ଟଙ୍କା ରଖିଥିଲା। ପୁଲିସ ଉକ୍ତ ୨ ଜଣକୁ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୬ ହଜାର ଟଙ୍କା ଓ କାଜୁ ୧କୁଇଣ୍ଟାଲ ୫ କେଜି ଓ ଏକ ଅଟୋ ରିକ୍ସା ଜବତ କରିଥିବା ବେଳେ ୨ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।