ସ୍ବାଭିମାନ ଅଂଚଳରେ କ୍ବାକଙ୍କ ରାଜୁତି; ଗାଁ ଗାଁ ବୁଲିବା ସହ ହାଟରେ ମଧ୍ୟ ବିକ୍ରି କରୁଛନ୍ତି ଔଷଧ

କୋଲକାତାରେ ମେଟ୍ରିକ ଫେଲ କିନ୍ତୁ ମାଲକାନଗିରିରେ ଡାକ୍ତର

ମାଲକାନଗିରି: କୋଲକାତାରେ ମ୍ୟାଟ୍ରିକ ଫେଲ କିନ୍ତୁ ମାଲକାନଗିରିରେ ଡାକ୍ତର ବନି ରୋଗୀ ଚିକିତ୍ସା କରୁଛନ୍ତି କିଛି କ୍ବାକ। ବିଶେଷକରି ଦୁର୍ଗମ ଅଂଚଳରେ କ୍ବାକମାନଙ୍କ ପାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି। ଦୁର୍ଗମ ଗ୍ରାମଗୁଡିକରେ ଲୋକେ ଅଶିକ୍ଷିତ ହେବା ସହ ଗୁଣିଆ ଏବଂ ଡିସାରୀ ଉପରେ ଅନ୍ଧ ଭାବରେ ବିଶ୍ବାସ କରୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କ୍ବାକମାନେ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ରହିଥିବା ୯ଟି ପଞ୍ଚାୟତର ୧୫୧ ଟି ଗ୍ରାମକୁ କ୍ବାକମାନେ ନିଜ ଅକ୍ତିଆରକୁ ନେଇଛନ୍ତି। ଏହି ଅଂଚଳକୁ ପ୍ରାୟ ସ୍ବାସ୍ଥ୍ୟ କର୍ମୀଙ୍କ ଦେଖା ମିଳୁନଥିବାରୁ କ୍ବାକମାନେ ରାଜୁତି କରୁଛନ୍ତି।

ସ୍ବାଭିମାନ ଅଂଚଳରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏମାନେ ମଧ୍ୟ ଡାକ୍ତରଖାନା ଯିବା ବଦଳରେ କ୍ବାକ ଉପରେ ହିଁ ନିର୍ଭର କରିଥାନ୍ତି। କ୍ବାକମାନେ ଗାଁ ଗାଁ ବୁଲି ଲୋକଙ୍କୁ ସେବା ଯୋଗାଇବା ସହ ବିନା ଔଷଧ ଜ୍ଞାନରେ ଲୋକଙ୍କୁ ଔଷଧ ଦେଇ ଟଂକା ଲୁଟୁଛନ୍ତି। ତେବେ ସ୍ବାଭିମାନ ଅଂଚଳବାସୀଙ୍କ ବଡ ସମସ୍ୟା ହେଲା ସ୍ବାସ୍ଥ୍ୟ ବ୍ୟବସ୍ଥା। ଆବଶ୍ୟକ ସ୍ବାସ୍ଥ୍ୟ ବ୍ୟବସ୍ଥା ନଥିବାରୁ ରୋଗ ହେଲେ ଲୋକେ ନିଜର ରୋଗକୁ ଦୂର କରିବା ପାଇଁ କ୍ବାକ କିମ୍ବା ଡିସାରୀ ଗୁଣିଆଙ୍କ ନିକଟକୁ ଯାଇଥାନ୍ତି। ତେଣୁ ଏହାର ଫାଇଦା ଉଠାଉଛନ୍ତି କ୍ବାକମାନେ। ହାଟ ବଜାରରେ ମଧ୍ୟ ନିଜର ପସରା ଖୋଲି ଖୁଲମଖୁଲା ଔଷଧ ବିକ୍ରି କରୁଛନ୍ତି। ଏପରିକି ରୋଗୀଙ୍କୁ ତଳେ ସୁଆଇ ସାଲାଇନ ମଧ୍ୟ ଦେଉଛନ୍ତି। ରୋଗକୁ ନଚିହ୍ନି ଔଷଧ ମଧ୍ୟ ଦେଉଛନ୍ତି। ଲୋକେ ଗୁରୁତର ହେଲେ ତୁରନ୍ତ ମେଡିକାଲକୁ ଯିବାକୁ ପରାମର୍ଶ ଦେଉଛନ୍ତି। ଲୋକେ ନିରକ୍ଷର ହୋଇଥିବାରୁ ଔଷଧ ସଂପର୍କରେ କିଛି ଜାଣି ପାରୁନାହାନ୍ତି। ତେଣୁ ଯେତେ ଟଂକା ହେଲେ ମଧ୍ୟ କ୍ବାକମାନଙ୍କୁ ଟଂକା ଦେଇ ଔଷଧ କିଣୁଛନ୍ତି।

ଏହାର ସୁଯୋଗ ନେଇ କ୍ବାକମାନେ ନିଜର ପସରା ମେଲାଇଲେଣି। ସ୍ବାସ୍ଥ୍ୟ ବିଭାଗ ନିକଟରେ ଖବର ଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବର ସହ ନେଉନଥିବା ଦେଖିବାକୁ ମିଳିଛି। ବାରମ୍ବାର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ କେହି କୌଣସି ପଦକ୍ଷେପ ନେଉ ନାହାଁନ୍ତି। ରୋଗୀ ଗୁରୁତର ହୋଇ ମେଡିକାଲରେ ପହଞ୍ଚିଲା ବେଳକୁ ସବୁ ସରିଯାଇଥାଏ। ଦୁର୍ଗମ ଅଂଚଳର ଲୋକଙ୍କ କହିବା ହେଲା ଏଠାକୁ ନିୟମିତ ସ୍ବାସ୍ଥ୍ୟ କର୍ମୀ କିମ୍ବା କୌଣସି ଡାକ୍ତରଙ୍କର ଦେଖା ମିଳୁନଥିବାରୁ ବାଧ୍ୟ ହୋଇ କ୍ବାକ ଉପରେ ଭରସା କରିବାକୁ ପଡୁଛି।

Sambad

ଦୁର୍ଗମ ଅଂଚଳରେ ମୁଖ୍ୟତଃ ରାସ୍ତା ଘାଟନ ନାହିଁ ଏବଂ ପାନୀୟ ଜଳର ଘୋର ଅଭାବ। ଯାହା ଦ୍ବାରା ଲୋକେ ନାଳ, ଝରଣା ଏବଂ ନଦୀର ପାଣି ପିଇବା ଦ୍ବାରା ସଂକ୍ରାମକ ରୋଗରେ ପଡି ଛଟପଟ ହେଉଛନ୍ତି। କ୍ବାକମାନେ ଏହା ଜାଣିବା ପରେ ତୁରନ୍ତ ଗ୍ରାମଗୁଡିକରେ ପହଞ୍ଚି ଲୋକଙ୍କୁ ଔଷଧ ବିକ୍ରି କରିବା ଆରମ୍ଭ କରିଦିଅନ୍ତି। ଡାକ୍ତରଖାନାରେ ଯେଉଁ ଔଷଧ ମାଗଣାରେ ମିଳେ ତାହାକୁ ଏଠାରେ କ୍ବାକମାନେ ଚଢା ଦରରେ ବିକ୍ରି କରିଥାନ୍ତି।

ରାସ୍ତା ନଥିବାରୁ ରୋଗୀକୁ ମେଡିକାଲ ନେବାକୁ ପରିବାର ଲୋକେ କିମ୍ବା ଗ୍ରାମବାସୀ ପ୍ରଥମତଃ ରାଜି ହୋଇନଥାନ୍ତି। ଯେତେବେଳେ ଗୁରୁତର ହୁଏ ସେତେବେଳେ ରୋଗୀକୁ ମେଡିକାଲ ନେବା ପାଇଁ ଲୋକେ ବାହାରିପଡନ୍ତି। କ୍ବାକମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢୁଥିବା ବେଳେ ତୁରନ୍ତ କୌଣସି ପଦକ୍ଷେପ ନନେଲେଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଜର୍ଚ୍ଚା ଜୋର ଧରିଛି। ଧନହାନୀ ପ୍ରାଣ ପୀଡା ସଦୃସ୍ୟ ଲୋକେ ଏଠାରେ ପଡି ରହିଛନ୍ତି। ସ୍ବାଭିମାନ ଅଂଚଳର ପ୍ରତି ହାଟରେ କ୍ବାକମାନେ ଔଷଧ ବିକ୍ରି କରୁଥିବାର ଦେଖିବାକୁ ମିଳେ। ଔଷଧ ଗୁଡିକର ପସରା ମେଲାଇ ରୌଗୀଙ୍କ ଅପେକ୍ଷାରେ ବସିଥିବା ଦେଖିବାକୁ ମିଳେ। ସତେ ଯେମିତି ସେମାନେ ଜଣେ ଜଣେ ଡାକ୍ତର ଏବଂ ରୋଗ ଚିହ୍ନି ଔଷଧ ଦେବେ। ଔଷଧ କିଣାରେ ମଧ୍ୟ ମୁଲଚାଲ ହୋଇଥାଏ। ଔଷଧରେ କେତେ ଲେଖାଯାଇଛି ଲୋକେ ନଜାଣି ତାର ପ୍ରକୃତ ଦାମ ଠାରୁ ମଧ୍ୟ ଅଧିକା ଦେଉଥିବା ଅଭିଯୋଗ ହୋଇଛି। ତେବେ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ତରଫରୁ ଦୁର୍ଗମ ଅଂଚଳ ଗୁଡିକରେ ଲୋକଙ୍କୁ ସଚେତନ କରାଇବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର