ମାଲକାନଗିରିରେ କାଳବୈଶାଖୀ: ସତୀଗୁଡା ଜଳଭଣ୍ଡାରରେ ନିଖୋଜ ବ୍ୟକ୍ତିର ପତ୍ତା ମିଳୁନି

ମାଲକାନଗିରି: କାଳାବୈଶାଖୀର ପ୍ରକୋପରେ ମାଲକାନଗିର ସହର ଛାରଖାର ହୋଇଯାଇଛି। ସାହି ସାହିରେ ଗଛ ପଡିଥିବା ବେଳେ ଘରର ଟିଣ ଓ ଆଜେବେଷ୍ଟ ଉଡାଇ ନେଇଛି। କାନ୍ଥ ପଡି ୨ ଜଣଙ୍କ ମୃତ୍ୟୁବରଣ କରିଥିବା ବ‌େଳେ ଡଙ୍ଗା ବୁଡି ଜଣଙ୍କ ମୃତ୍ୟୁ ହୋଇଛି। ଡଙ୍ଗାବୁଡି ଘଟଣାରେ ଆଉ ଜଣେ ବ୍ୟକ୍ତିର ପତ୍ତା ମିଳିପାରୁନଥିବା ବେଳେ ଓଡ୍ରାଫ୍ ଓ ଅଗ୍ନିଶମବାହିନୀ ପକ୍ଷରୁ ସତୀଗୁଡା ଜଳଭଣ୍ଡାରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପେରସନ ଚାଲିଛି। ଏଥିସହ ସହରରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇପଡିଥିବା ବ‌େଳେ ଜରୁରୀକାଳୀନ ପରିସ୍ଥିତିରେ ମରାମତି କାର୍ଯ୍ୟ ଜାରିରହିଛି। ଅନ୍ୟପକ୍ଷରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷୟତି‌ ହେବା ସହ ୩ ଜଣ ମୃତ୍ୟୁବରଣ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ଆତ୍ମୀୟଙ୍କୁ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିସହ ଅନ୍ୟ ଆହତମାନଙ୍କୁ ବିନା ମୂଲ୍ୟରେ ଉନ୍ନତିମାନର ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

୧୨ ଘଣ୍ଟା ଧରି ଓଡ୍ରାଫ୍, ଅଗ୍ନିଶମବାହିନୀର ସର୍ଚ୍ଚ ଅପେରସନ

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତାରାଶି ଘୋଷଣା:ମୁଖ୍ୟମନ୍ତ୍ରୀ

ଗତକାଲି ଅପରାହ୍ନରେ ମାଛ ଧରିବା ପାଇଁ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ଦେଶୀ ଡଙ୍ଗାରେ ସତୀଗୁଡା ଜଳଭଣ୍ଡାରକୁ ଯାଇଥିଲେ। ସେଠାରେ ଗ‌ୋବିନ୍ଦର ଡଙ୍ଗା ବୁଡି ଯାଇଥିବା ବେଳେ ସେ ନିଖୋଜ ଅଛନ୍ତି। ଗତକାଲି ରାତିରେ କ‌ୋରାପୁଟ ପ୍ରଥମ ଆଇଆରବି ବାଟାଲିଆନ ଓଡ୍ରାଫ୍ ଟିମ୍ ଆସି ମାଲକାନଗିରି‌ରେ ପହଞ୍ଚିଛି। ଆଜି ସକାଳୁ ୩ଟି ରୋବଟ୍ ବୋଟ ସାହଯ୍ୟରେ ମାଲକାନଗିରି ଅଗ୍ନିଶମ ବାହିନୀ ଓ ଓଡ୍ରାଫର ୨୫ ଜଣିଆ ଟିମ୍ ସକାଳ ୬ଟାରୁ ଜଳଭଣ୍ଡାରରେ ଗୋବିନ୍ଦକୁ ଖୋଜିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଟିମ୍ ଜଳଭଣ୍ଡାର ବିଭିନ୍ନ କୋଣରେ ଖୋଜିଛନ୍ତି। ପାଣିରେ ବୁଡି ମଧ୍ୟ ଗୋବିନ୍ଦକୁ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିପାରୁନାହିଁ। ଆସନ୍ତାକାଲି ସକାଳୁ ଜଳଭଣ୍ଡରରେ ପୁଣି ଗୋବିନ୍ଦକୁ ଖୋଜାଯିବ ବୋଲି ଅଗ୍ନିଶମ କେନ୍ଦ୍ର ଅଧିକାରୀ କମଲ କୁମାର ଗୌଡ କହିଛନ୍ତି। ସତୀଗୁଡା ଜଳଭଣ୍ଡା ଉଦ୍ଧାର ସମୟରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ପାଲ ଓ ରାଜସ୍ବ ନିରୀକ୍ଷକ ସମୀଞ୍ଚଳର ସାହୁ ସେମତ ବନବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ଗତକାଲି ଅପରାହ୍ନ ୪ଟା ବେଳକୁ ମାଲକାନଗିରି ସହରରେ ପ୍ରବଳ ବେଗରେ ପବନ ବୋହିଥିଲା। ଯାହାଫଳରେ ସହରରେ ଥିବା ପ୍ରମୁଖ ରାସ୍ତାଗୁଡିକରେ ଗଛ ଭାଙ୍ଗି ପଡି ରାସ୍ତା ଜାମ୍ ହୋଇଯାଇଥିଲା। ରାତି ପର୍ଯ୍ୟନ୍ତ ବିଭିନ୍ନ ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇପରନଥିଲା। ମାଲକାନଗିରି,କାଲିମେଳା ଓ କୋରୁକୋଣ୍ଡା ଅଗ୍ନିଶମବାହିନୀ ଗଛଗୁଡିକୁ କାଟି ରାସ୍ତା ସଫା କରିବା ପରେ ଗାଡି ଯାତାୟତ କରିଥିଲା। ଏଥିସହ ବିଭିନ୍ନ ସ୍ଥାନରେ ଗଛ ପଡି ବହୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ବହୁ ତାର ଛିଡି ଯାଇଥିଲା। ରାତି ସାରା ସହର ଓ ସହର ଉପକଣ୍ଠ ଅନ୍ଧକାରରେ ରହିଥିବା ବେଳେ ଆଜି ଭୋରରୁ କେତେକ ସ୍ଥାନରେ ଲୋକେ ବିଦ୍ୟୁତ ସେବା ପାଇପାରିଥିଲେ। ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ କେଶରୀ ନାୟକ କହିଛନ୍ତି ଯେ, ସହର ପ୍ରମୁଖ ସ୍ଥାନଗୁଡିକ ଓ ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ଯୋଗାଇବା ପାଇଁ ଦିନ ରାତି କାମ ଚାଲିଛି। ବିଭାଗ କର୍ମଚାରୀ ସହିତ କେତେକ ଏଜେନ୍ସିରୁ ମଧ୍ୟ ଲୋକ ଆଣି ମରାମତି କାମ କରାଯାଉଛି। ଅନ୍ୟପକ୍ଷରେ ପବନ ଯୋଗୁଁ ବହୁ ଘର ଭାଙ୍ଗି ଥିବା ବେଳେ ଟିଣ ଓ ଆଜବେଷ୍ଟ ଉଡିଯାଇଛି। ବହୁ ଲୋକଙ୍କୁ ଘର ଉପରେ ଗଛ ପଡିଥିବା ବେଳେ ପଡିଶା ଓ ସମ୍ପର୍କୀୟ ଘରେ ଆଶ୍ରୟ ନେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ କହିଛନ୍ତି ଯେ, ମାଲକାନଗିରି ତହସିଲ ଅଞଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ରାଜସ୍ବ ନିରୀକ୍ଷକଙ୍କମାନଙ୍କୁ ସର୍ଭେ କରିବା ପାଇଁ ପଠାଯାଇଛି। ଲୋକମାନଙ୍କୁ ଜରି ପାଲ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ ପାଇଁ କୁହାଯାଇଛି। କ୍ଷୟକ୍ଷତିର ଆକଳନ କରାଯାଉଥିବା ନେଇ ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର