ରାଉରକେଲା: ଅସହ୍ୟ ଗରମରେ ସିଝୁଥିବା ସହରବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି, କୁଆପଥର ବର୍ଷା ସହ ପବନ ବୋହିଥିଲା। ପ୍ରାୟ ୪୫ ମିନିଟ୍ରୁ ଅଧିକ ସମୟ ଧରି କାଳବୈଶାଖୀ ତାଣ୍ଡବ ରଚିଥିଲା। ପବନରେ ବେଗ ଏତେ ଥିଲା ଯେ, ସହରର ଅଧିକାଂଶ ସ୍ଥାନରେ ଗଛ, ବିଦ୍ୟୁତ୍ ଭାଙ୍ଗିଯିବା ସହ କେତେକ ସ୍ଥାନରେ ଉପୁଡ଼ି ପଡ଼ିଥିଲା। ଉଭୟ ଆର୍ଏମ୍ସି ଓ ଇସ୍ପାତ ସହରାଞ୍ଚଳରେ ପ୍ରାୟ ୨୦୦ରୁ ଅଧିକ ଗଛ ଭାଙ୍ଗି ପଡ଼ିବା ସହ କିଛି ଗଛ ଉପୁଡିଯାଇଥିଲା। ସହରର ପ୍ରମୁଖ ଛକ, ରିଂ ରୋଡ, ଆର୍ଏସ୍ପି କ୍ବାର୍ଟର୍ସରେ ଗଛଗୁଡ଼ିକରେ ଭାଙ୍ଗି ରାସ୍ତା ଉପରେ ପଡ଼ିବାରୁ ଯାତାୟତରେ ବାଧା ଉପୁଜିଥିଲା। ସେକ୍ଟର-୪ ମଧୁବନ ସମ୍ମୁଖ କ୍ବାର୍ଟର୍ସସ୍ଥ ଅଫିସ୍ରେ ଉପରେ ଗଛ ଭାଙ୍ଗି ପଡ଼ିଥିଲା।
ଅଫିସ୍ ବନ୍ଦ ଥିବାରୁ କିଛି ଅଘଟଣ ଘଟି ନଥିବା ଜଣାପଡ଼ିଛି। ଆମ୍ବାଗନ୍ ନିକଟରେ ବଡ ଗଛ ଉପୁଡି ପଡ଼ିବାରୁ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସେକ୍ଟର ୭/୧୭ ଛକରୁ ଆମ୍ବାଗନ୍ ପର୍ଯ୍ୟନ୍ତ ରିଂ ରୋଡ଼ ଉପରେ ଗଛଗୁଡ଼ିକ ଭାଙ୍ଗି ପଡ଼ିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା। ସେକ୍ଟର-୫ ଗୁଣ୍ଡିଚା ମନ୍ଦିରରୁ ସେକ୍ଟର-୪ ମଧୁବନ ପର୍ଯ୍ୟନ୍ତ ରାସ୍ତାରେ ଚାରିଟି ବିରାଟ ଗଛ ଉପୁଡି ପଡ଼ିବାରୁ ଯାତାୟତ ଠପ୍ ହୋଇଯାଇଥିଲା। ସେକ୍ଟର-୧୯ ରାଉରକେଲା ହାଉସ୍ ରାସ୍ତା ଓ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରାସ୍ତାରେ ବିଜୁଜି ଖୁଣ୍ଟି ଓ ଗଛ ଉପୁଡି ରାସ୍ତା ଉପରେ ପଡ଼ିଥିଲା। ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରୁ ସେକ୍ଟର-୧୯ ଏଲ୍ଆଇସି ଅଫିସ୍ ପର୍ଯ୍ୟନ୍ତ ରାସ୍ତାରେ ଗଛ ଓ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଅଧିକାଂଶ ସ୍ଥାନରେ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିବାରୁ ବିଦୁତ୍ ସେବା ପ୍ରଭାବିତ ହୋଇଥିଲା।
କିଛି ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରି ନଥିଲା। ଆର୍ଏମ୍ସି ଏରିଆରେ ମଧ୍ୟ କିଛି ସ୍ଥାନରେ ସମାନ ସ୍ଥିତି ଉପୁଜିଥିଲା। ଆର୍ଏମ୍ସି ଓ ଆର୍ଏସ୍ପି ସହର ସେବା, ଉଦ୍ୟାନ ବିଭାଗ ପକ୍ଷରୁ ପଡ଼ିଥିବା ଶହ ଶହ ଗଛଗୁଡ଼ିକୁ କାଟି ରାସ୍ତାରୁ ହଟାଯାଇଛି। ରାସ୍ତା ଉପରେ ଗଛଗୁଡ଼ିକ କାଟି ହଟାଇବାକୁ ଆର୍ଏସ୍ପି ଉଦ୍ୟାନ ବିଭାଗ ଓ ଆର୍ଏମ୍ସି କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା। କେତେକ ସ୍ଥାନରେ ବିଜୁଳି ସେବା ସ୍ବାଭାବିକ ହୋଇଥିଲାବେଳେ ଆଉ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ବିଜୁଳି ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।