ବରଗଡ଼: ଗତ ୧୦ ତାରିଖରୁ ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଧାନ କିଣା ସାମାନ୍ୟ ମନ୍ଥର ରହିଛି। କିନ୍ତୁ ଅଦିନିଆ ବର୍ଷା ଚାଷୀର ନିଦ ହଜାଇ ଦେଇଛି। ପୂର୍ବରୁ କାଳବୈଶାଖୀ ବର୍ଷା ଯୋଗୁଁ ବିଲରେ ଧାନ ଧରାଶାୟୀ ହୋଇପଡ଼ିଥିଲା। ଧାନ ପାଣିରେ ବତୁରି ଯାଇଥିଲା। ମଣ୍ଡିକୁ ଯିବା ପାଇଁ ପ୍ରସ୍ତୁତ ଶୁଖିଲା ଧାନ ବି ଭିଜି ଯାଇଥିଲା। ଟାଣ ଖରାରେ ଚାଷୀ ଧାନ ଶୁଖାଇବାରେ ଲାଗି ପଡ଼ିଥିଲା। ଏଭଳି ସ୍ଥିତିରେ ସୋମବାର ଅପରାହ୍ଣରେ ଅଚାନକ ବର୍ଷା ସ୍ଥିତିକୁ ଆହୁରି ସଂଗିନ କରି ଦେଇଛି। ଖଳା ଏବଂ ରାସ୍ତାରେ ଶୁଖୁଥିବା ଧାନ ଆହୁରି ଓଦା ହୋଇଯାଇଛି।

Advertisment

ପାଗ ଶୁଖିଲା ଥିବାରୁ ଚାଷୀମାନେ ଧାନ କାଟି ମଣ୍ଡିକୁ ନେବାକୁ ଯୋଜନା କରିଥିଲେ। ହେଲେ ବର୍ଷା ସବୁ ବିଗାଡ଼ି ଦେଇଛି। ବାରମ୍ବାର ପ୍ରକୃତି ଦାଉ ସାଧୁଥିବାରୁ ଚାଷୀ ଠିକ୍‌ ମୂଲ୍ୟରେ ଧାନ ବିକିବା ନେଇ ଆଶଂକା ସୃଷ୍ଟି ହୋଇଛି। କାଳବୈଶାଖୀର କ୍ଷତିପୂରଣ ଟଙ୍କା ମିଳୁନଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କାଳବୈଶାଖୀ ଯୋଗୁଁ ବରଗଡ଼, ଅତାବିରା ବ୍ଲକ୍‌ର କିଛି ଅଂଚଳରେ ଶୁଖିଲା ଧାନ ପୁଣି ଓଦା ହୋଇଛି। ପାଣିପାଗର ସ୍ଥିତି ଯାହା, ରବିଧାନ ସଂଗ୍ରହ କରିବା ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଚାଷୀ କଷ୍ଟରେ ଧାନ ଅମଳ କରୁଥିବା ବେଳେ ପାଣିପାଗ ସବୁ ଉଜାଡ଼ି ଦେଉଛି। ଟୋକନ ପାଇ ଧାନ ବିକିବାକୁ ରଖିଥିବା ଚାଷୀଙ୍କ ଧାନ ଭିଜି ଯାଇଥିବା ସୂଚନା ମିଳିଛି।