ଭବାନୀପାଟଣା ସଟଡାଉନ, ସହରବାସୀଙ୍କ ଚିନ୍ତା ବଢ଼ାଇଲେ ସୁପରସ୍ପ୍ରେଡ଼ର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆଜି ୧୨ ଜଣଙ୍କ ପିଜିଟିଭ ଚିହ୍ନଟ ହୋଇଛି । ସେମାନଙ୍କ।ମଧ୍ୟରୁ ଭବାନୀପାଟଣା ସହରରେ ୧୦ ଜଣ ଓ ଅନ୍ୟ ବ୍ଲକର ୨ ଜଣଙ୍କୁ ପିଜିଟିଭ ଚିହ୍ନଟ ହେବା ପରେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୨ ତାରିଖ ଦିନ ଭବାନୀପାଟଣା ସହରର ପୁରୁଣାପଡା ଓ ଶକ୍ତିନଗର ପଡାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁରୁଣାପଡାର ଆକ୍ରାନ୍ତ ଭବାନୀପାଟଣା ଟାଉନଥାନା , ସଦରମୁଖ୍ୟ ଡାକ୍ତରଖାନା, ଜେଲ ପରିସର ଓ କୋର୍ଟ ପରିସର ସମେତ ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଚଳପ୍ରଚଳ କରିଥିଲେ । ଗତକାଲି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ପ୍ରାୟ ୬୦ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ପରୀକ୍ଷା ପାଇଁ ସ୍ୱାବ ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିପୋର୍ଟ ପହଞ୍ଚି ନାହିଁ । ଏହି କଣ୍ଟାକ୍ଟଟ୍ରସିଂ କୁ ଭିତ୍ତି କରି ଭବାନୀପାଟଣା ଟାଉନ ଥାନା, ସଦର ଥାନା ଓ ଆଇଆରବି ଯବାନ ମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଭବାନୀପାଟଣା ଟାଉନ ଥାନାର ୩ ଜଣ, ସଦର ଥାନା ର ଜଣେ, ପୁଲିସ ରିଜର୍ଭ ର ୫ ଜଣଙ୍କ ସମେତ ୯ ଜଣ ପୁଲିସ କର୍ମଚାରୀଙ୍କ ରିପୋର୍ଟ ପିଜିଟିଭ ବାହାରିଥିଲା । ସେହିଭଳି ଜଣେ ଆଇଆରବି ବାଟାଲିୟନ ଯବାନଙ୍କ ରିପୋର୍ଟ ପଜିଟିଭ ଆସିଛି । ସହରରେ ଲୋକଙ୍କ ସୁରକ୍ଷା ଯୋଗାଉଥିବା ୧୦ ଜଣ କରୋନା ଜୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସହରବାସୀଙ୍କ ଚିନ୍ତା ବଢ଼ାଇଛି । ସୁପର ସ୍ପ୍ରେଡ଼ରଙ୍କ କଣ୍ଟାକ୍ଟଟ୍ରେସିଂ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗଭାଲି ପରାଗ ହର୍ଷଦଙ୍କ ଚିଠି ନଂ ୯୭୦/୨୪.୭.୨୦୨୦ ଅନୁଯାୟୀ ଭବାନୀପାଟଣା ସହରକୁ ଆଜି ମଧ୍ୟ ରାତ୍ରରୁ ଆସନ୍ତା ଜୁଲାଇ ୨୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସହରକୁ ସଟଡାଉନ କରାଯାଇଛି ।

ଏହି ସମୟରେ ଭବାନୀପାଟଣା ସହରରେ ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଯାନ କୁ ଚଳାଚଳ ନିଷେଧ କରାଯାଇଛି । କେବଳ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଗାଡି ଓ ସରକାରୀ ଜରୁରୀ କାଳୀନ ନିୟୋଜିତ ଅନୁମତି ପ୍ରାପ୍ତ ଗାଡି ଚଳାଚଳ କରିବ । ସଟଡାଉନ ସମୟରେ ସମସ୍ତ ମେଡ଼ିକାଲ , କ୍ଲିନିକ , ନର୍ସିଂହୋମ, ଔଷଧ ଦୋକାନ ଖୋଲା ରହିବ । ଆମ୍ବୁଲାନ୍ସ ଯାତାୟାତ କଟକଣା ବାହାରେ ରହିଛି, ଟେଲିକମ ସର୍ଭିସ, ପେଟ୍ରୋଲ ପମ୍ପ, ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନଟ ହୋଇଥିବା ମୁଦ୍ରିତ ଓ ଗଣମାଧ୍ୟମ ପ୍ରତିନିଧି, ଜଳଯୋଗାଣ ,ସାନିଟାଇଜେସନ, ସଫେଇ କର୍ମଚାରୀ, ବୈଦ୍ୟୁତିକ ଉପକରଣ ଯୋଗାଣ, ମାଲ ପରିବହନ, ଫ୍ୟାକ୍ଟ୍ରି, ନିର୍ମାଣ କାର୍ଯ୍ୟ, ପନିପରିବା ଦୋକାନ, ପ୍ରାଣୀ ଚିକିତ୍ସା ବିଭାଗ , ହୋଟେଲ ଓ ରେଷ୍ଟରେଣ୍ଟ, ବ୍ୟାଙ୍କ ଏଟିଏମ୍, କ୍ଷୀର ଦୋକାନ, କେବଳ ପାରସଲ ନେବା ପାଇଁ ଜାତୀୟ ରାଜପଥ ଓ ରାଜ୍ୟ ରଜପଥ ପାର୍ଶ୍ଵରେ ଥିବା ଢ଼ାବା ଗୁଡିକ ଖୋଲା ରହିବ । ଖବର କାଗଜ ହକର ମାନଙ୍କୁ ସକାଳ ୫ ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି ।

କଳାହାଣ୍ଡି ଏସପିଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୁଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଭବାନୀପାଟଣା ଉପଜିଲ୍ଲାପାଳ ଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ପ୍ରଦାନ କରାଯାଇଛି । ସିଡିଏମଓଙ୍କୁ ଏହି ସମୟରେ କଣ୍ଟାକ୍ଟଟ୍ରେସିଂ ଓ ଅଧିକ ପରୀକ୍ଷା ସହିତ ସର୍ଭେ ପାଇଁ ଦାୟିତ୍ୱ ଦିଆ ଯାଇଛି । ଭବାନୀପାଟଣା ମ୍ୟୁନିସିପଲଟି ନିର୍ବାହୀ ଅଧିକାରୀ ଙ୍କୁ ସଟଡାଉନ ସମୟରେ ପରିଚାଳନାଗତ ସହାୟତା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ସଟଡାଉନ ସମୟରେ ଆଇନ ଉଲଂଘନ କରୁଥିବା ଲୋକଙ୍କ ବିରୋଧ ରେ ପ୍ରାକୃତିକ ବିପର୍ଯ୍ୟୟ ଆଇନର ସେକସନ ୧୮୮ ଦଫା ରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଭବାନୀପାଟଣା ସହରରେ ଲକଡାଉନ ପରେ ପ୍ରଥମଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର