ବୋର୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବୋର୍ଡା ଅଞ୍ଚଳରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୋର୍ଡାର କାହ୍ନା ମହାପାତ୍ର (୨୨), ରୋଜାନାପୁରର ମଣ୍ଟୁ ଚନ୍ଦନ (୨୪) ଓ କୁସୁମଶିଳାର ସନ୍ତୋଷ ଭୋଇ (୨୬)।
ଦୀପାବଳି ସମୟରେ ବୋର୍ଡା ବଜାରରେ ନକଲି ନୋଟ୍ ଦେଇ କିଛି ଲୋକ ଜିନିଷ କିଣୁଥିବା ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା। ପୁଲିସ ତାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ବୋର୍ଡା ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଏହି ମାମଲାରେ କାହ୍ନା, ମଣ୍ଟୁ ଓ ସନ୍ତୋଷଙ୍କୁ ଧରିଥିଲେ। ଅଭିଯୁକ୍ତମାନଙ୍କଠାରୁ ଏକ ନୋଟ୍ ଛପା ପ୍ରିଣ୍ଟିଂ ମେସିନ, ୩ଟି ମୋବାଇଲ ଫୋନ, ୭ ହଜାର ୩ଶହ ଟଙ୍କାର ୨ ଶହ ଓ ୫ଶହ ଟଙ୍କିଆ ନୋଟ୍, ପେପର୍ କଟର୍, ଗ୍ରିନ୍ ଷ୍ଟିକର, ଜାଲ୍ ନୋଟ୍ ଛପା କାଗଜ ଏକ ବଣ୍ଡଲ ପୁଲିସ ଜବତ କରିଛି।
ତଦନ୍ତରେ କେଗାଁ ଆଇଆଇସି ମୁକୁନ୍ଦ ଦେବ ନାଏକଙ୍କ ସମେତ ପୁଲିସ କର୍ମଚାରୀ ଏମ୍. ମାଣିକେଶ୍ବର ରାଓ, ନଳିନୀ ଶିଖା, ନାରାୟଣ ଦଳପତି, ସୌଦାମିନୀ ନାଏକ, ଗଜିନ୍ଦ୍ର ବିଶ୍ୱାଳ, ଗିରିଧାରୀ ଖରସେଲ, ଉତ୍ତମ ଗଡତିଆ ପ୍ରମୁଖ ସହଯୋଗ କରିଥିଲେ। ଏ ନେଇ କେଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/3007b255-c847-45e8-ae0d-453402ffebc5.jpeg)