ଭବାନୀପାଟଣାରେ ୬.୫ ଡିଗ୍ରିକୁ ଖସିଲା ପାରଦ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାରଦ ଶୂନ ଡିଗ୍ରିକୁ ଖସିବା ଯୋଗୁଁ ଥୁଆମୂଳ ରାମପୁର ପାର୍ବତ୍ୟାଞ୍ଚଳରେ ବରଫପାତ ହୋଇଛି। ସେହିଭଳି ସରକାରୀ ରିପୋର୍ଟ ଅନୁଯାୟୀ ଭବାନୀପାଟଣା ସଦର ମହକୁମାରେ ପାରଦ ଗତକାଲି ୬.୫ ଡିଗ୍ରିକୁ ଖସିଛି। ଫଳରେ ଦୁର୍ଗମ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଶନିବାର ହଠାତ ଭବାନୀପାଟଣା ସହରରେ ପାରଦ ୬.୫ଡିଗ୍ରିକୁ ଖସିବା ଫଳରେ ସହରରେ ଲୋକେ ବେହାଲ ହୋଇ ପଡିଥିଲେ। ଜିଲ୍ଲାର ଲାଞ୍ଜିଗଡ, ମଦନପୁର ରାମପୁର ବ୍ଲକର ବହୁ ଦୁର୍ଗମ ଅଞ୍ଚଳରେ ପାରଦ ତଳକୁ ଖସିଥିବା ଯୋଗୁଁ ଶୀତର ପ୍ରକୋପ ଲୋକଙ୍କୁ ଥରାଇ ଦେଇଥିଲା। ଗତକାଲି ରାତିରେ ଭବାନୀପାଟଣା ସହରରେ ସଦର ବିଧାୟକ ଅନାମ ନାଏକ ୧୦ ଜଣ ବେସାହାରାଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଦୁର୍ଗମ ଅଞ୍ଚଳରେ ପ୍ରବଳ ଶୀତ ଯୋଗୁଁ ବୁଢ଼ାବୁଢ଼ୀମାନେ ଶୀତର ଜାଡ଼ ଯୋଗୁଁ ଥରିଥିଲେ। ପାହାଡ଼ି ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି। ମଦନପୁର ରାମପୁର ଅଞ୍ଚଳରେ ଶୀତ ସାଙ୍ଗକୁ ବେହେରାମାଲିଆ ପବନ ଯୋଗୁଁ ଶୀତ ଆହୁରି ଛାତି ଥରାଇ ଦେଇଥିଲା। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ କରାଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର