କଳାହାଣ୍ଡି ଜିଲ୍ଲାରେ ଭୋଟ ଶେଷ ପରେ ..:କିଏ ରିଲାକ୍ସ ମୁଡ୍‌ରେ ତ କିଏ ଦଳୀୟ ପ୍ରଚାରରେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଏପ୍ରିଲ ୧୧ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ନିର୍ବ‌ାଚନ ଶେଷ ହୋଇଛି। ନିର୍ବାଚନ ଶେଷ ହେବା ପରେ କେଉଁ ନେତା ରିଲାକ୍ସ ମୁଡରେ ତ କେଉଁ ନେତା ଜିଲ୍ଲା ବାହାରେ ଦଳୀୟ ପ୍ରଚାର ପାଇଁ ଟେନସନରେ ଅଛନ୍ତି। କଳାହାଣ୍ଡି ଜିଲ୍ଲାର ଲୋକସଭା ତଥା ଜୁନାଗଡ, ଧର୍ମଗଡ, ଭବାନୀପାଟଣା ସଦର, ନର୍ଲା, ଲାଞ୍ଜିଗଡ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ନିର୍ବାଚନ ଶେଷ ହେବା ପରେ କିଏ ରିଲାକ୍ସ ମୁଡରେ ତ କିଏ ଦଳୀୟ ପ୍ରଚାରରେ ବାହାରକୁ ଯାଇଛନ୍ତି। ବିଜେଡିର ସାଂସଦ ପ୍ରାର୍ଥୀ ପୁ‌ଷ୍ପେନ୍ଦ୍ର ସିଂହଦେଓ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଛନ୍ତି। ଧର୍ମଗଡ ବିଜେଡି ପ୍ରାର୍ଥୀ ମହୋଷଧି ବାଗ ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିଲେ। ଲାଞ୍ଜିଗଡ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ପାଲଲହଡା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ, ନର୍ଲା ନିର୍ବା‌ଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂ ଜଗତସିଂହପୁରରେ ନିର୍ବାଚନୀ ପ୍ରଚାରରେ ଅଛନ୍ତି। ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ବଲାଙ୍ଗୀର ବିଧାନସଭା ଓ ନୟାଗଡ ବିଧାନସଭାର ଦଳୀୟ ପ୍ରାର୍ଥୀମାନଙ୍କ ପ୍ରଚାରରେ ଥିଲେ। ବିଜେପିର ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ବି‌ଜେପି ସଭାପତି ବସନ୍ତ ପଣ୍ଡା ବରଗଡ଼ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଥିଲେ। ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ରେଙ୍ଗାଲି ନିର୍ବାଚନମଣ୍ଡଳୀ ଓ ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ରମେଶ ମାଝୀ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିଥିଲେ। ସେହିଭଳି ଧର୍ମଗଡ ବିଧାନସଭା ବିଜେପି ପ୍ରାର୍ଥୀ ଅନନ୍ତ ପ୍ରତାପ ଦେଓ ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଅଛନ୍ତି। କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ପୂର୍ବ ମନ୍ତ୍ରୀ ଭକ୍ତଚରଣ ଦାସ ଛତିଶଗଡ ଓ ତେଲେଙ୍ଗାନା ରାଜ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର‌ରେ ଥିଲେ। ସେହିଭଳି ନର୍ଲା ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମଣ୍ଡଳ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ ନିଜ ନିର୍ବାଚନ ଶେଷ ପରେ ଜି. ଉଦୟଗିରି ଓ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଅନ୍ୟ ବିଧାୟକ ପ୍ରାର୍ଥୀମାନେ ନିର୍ବାଚନ ଶେଷ ହେବା ପରେ ଏବ‌େ ରିଲାକ୍ସ ମୁଡରେ ଥିବା ବେଳେ ଗଣତିକୁ ଅପେକ୍ଷା କରି କାଉଣ୍ଟଡାଉନ ଆରମ୍ଭ କରିଛନ୍ତି। ନିର୍ବାଚନ ପରେ ବିଭିନ୍ନ ହୋଟେଲ, ଛକ, ଚା’ ଦୋକାନ ଖଟିରେ ନେତାମାନଙ୍କ ରିଲାକ୍ସ ମୁଡ ଓ ପ୍ରଚାର ଦାୟିତ୍ବକୁ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି। ରିଲାକ୍ସ ମୁଡରେ ଥିବା ନେତାମାନେ ବହୁଦିନ ଧରି ନିର୍ବାଚନୀ ବ୍ୟସ୍ତତା ପରେ ପରିବାରକୁ ସମୟ ଦେଇ ଛୁଟି ମନାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର