ପୁଣି ଚର୍ଚ୍ଚାରେ ଶିରିମସ୍କା ଦୁଷ୍କର୍ମ ଘଟଣା:ପୀଡ଼ିତାଙ୍କ ସୁରକ୍ଷା ଦାବିରେ ଧାରଣା

ଭବାନୀପାଟଣା,: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ଶିରିମସ୍କା ଦୁଷ୍କର୍ମ ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପୀଡ଼ିତାଙ୍କ ସୁରକ୍ଷା ଦାବିରେ ପରିବାର ଲୋକେ ଭବାନୀପାଟଣା ସହରସ୍ଥିତ ନେହରୁ ସେବା ସଂଘ ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଧାରଣା ଦେଇଛନ୍ତି। ଶିରିମସ୍କା ଦୁଷ୍କର୍ମ ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡ଼ିତାଙ୍କୁ ଅଣାଯାଇ ସିଡବ୍ଲୁସିରେ ହାଜର କରାଯାଇଥିଲା। ସିଡବ୍ଲୁସି ପକ୍ଷରୁ ପରିବ‌ାର ଲୋକଙ୍କୁ ନ ଜଣାଇ ସ୍ବାଧାର ସେବା ଆଶ୍ରୟସ୍ଥଳରେ ପୀଡ଼ିତାଙ୍କୁ ରଖିବା ଓ ପରେ ନେହରୁ ସେବା ସଂଘକୁ ସ୍ଥାନାନ୍ତର କରାଯାଇଥିଲା। ପରିବାର ପକ୍ଷରୁ ଭେଟିବାକୁ ଆସିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ବାହାନା କରି ଭେଟିବାକୁ ନ ଦେବା ନେଇ ଉଦବେଗ ପ୍ରକାଶ ପାଇଛି। ଶୁକ୍ରବାର ସନ୍ଧ୍ୟାରେ ନେହରୁସେବା ସଂଘରେ ପହଞ୍ଚିବା ପରେ ପୀଡ଼ିତା ଓ ଅନ୍ତେବାସିନୀମାନଙ୍କ ସହିତ ତୁମୁଡିବନ୍ଧକୁ ବଣଭୋଜି କରିବାକୁ ଯାଇଥିବା ଜାଣିବାକୁ ପାଇଥିଲେ। ଅତି ସମ୍ବେଦଶୀଳ ଘଟଣାରେ ପୀଡ଼ିତାଙ୍କୁ କାହା ଅନୁମତିରେ ପଠାଗଲା ଓ କିଭଳି ପୀଡ଼ିତାଙ୍କୁ ସୁରକ୍ଷା ଦିଆଯାଉଛି ସେ ନେଇ ଅଭିଯୋଗ କରି ପୀଡ଼ିତାଙ୍କ ବାପା ଓ ଭାଇ ନେହରୁ ସେବା ସଂଘ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ରଙ୍କୁ ପଚାରିବାରୁ ବଣଭୋଜି ପାଇଁ ସିଡବ୍ଲୁସିରୁ ଅନୁମତି ନିଆଯାଇଛି ବୋଲି କହିଥିଲେ। ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଜିଲ୍ଲା କଂଗ୍ରେସ କିମିଟି ସଭାପତି ଭାରତଭୂଷଣ ବେମାଲ ଧାରଣା ସ୍ଥଳରେ ପହଞ୍ଚିଥିଲେ। ଧାରଣାରେ କଂଗ୍ରେସ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ। ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ସିଡବ୍ଲୁସିର ଭୂମିକା ନେଇ ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡ଼ିତା ବଣଭୋଜିରୁ ଫେରିବା ପରେ ପୁଲିସ ରିଜର୍ଭରେ ରଖିବା ନେଇ ଚର୍ଚ୍ଚାର ବିଷୟ ହୋଇଥିଲା। ଘଟଣାକୁ ଚପାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର