କର୍ଲାମୁଣ୍ଡା: କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ମିଳିଥିବାରୁ ତାହାର ପ୍ରତିବାଦରେ ଜନ ପ୍ରତିନିଧି, ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ଦୁଇଟି ଗେଟ୍କୁ ତାଲା ପକେଇ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ଧାରଣାରେ ପଞ୍ଚାୟତ ସମିତି ଅଧକ୍ଷ୍ୟା, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଜୋନ୍-ବି ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ରିଂଜା ସମିତି ସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧିର ଭୋଇ, ରାଜପୁର ସମିତି ସଭ୍ୟ ନିରୂପମା ଭୋଇ, ସାପଲହରା ସମିତି ସଭ୍ୟ ଵିଶାନ୍ତି ଭୋଇ, ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡ଼ା ସମିତି ସଭ୍ୟ ଗେଲ କମ୍ପ, ଆଦିବାସୀ ନେତା ଦୟା ସାଗର ମାଝୀ, ବିଜେପି ନେତ୍ରୀ ତଥା ମିଶନ ଶକ୍ତି ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ, ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।
ତେବେ ପୂର୍ବତନ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକ ରେ ବିଡିଓ ଭାବେ କାର୍ଯ୍ୟ କରିଥିବା ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏଣୁ ସେ ସମୟରେ ତତ୍କାଳୀନ ୫ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୁଗ୍ରୀଙ୍କୁ ଅନ୍ୟତ୍ର ବଦଳି ହୋଇଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ବ୍ୟାପକ ଦୁର୍ନୀତି ହେବା ସହ ସେ ଏକ ଛତ୍ରବାଦ ଶାସନ କରି ଜନ ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଥିଲେ ବୋଲି ଆନ୍ଦୋଳନ କାରି ମାନେ ପ୍ରକାଶ କରିଛନ୍ତି।
ତେବେ ସୁଶ୍ରୀ ମୁଗ୍ରୀଙ୍କୁ ପୁନଃ କର୍ଲାମୁଣ୍ଡା ବିଡିଓ ଭାବେ ବଦଳିନାମା ଜାରୀ ହୋଇଥିବାରୁ ଏଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେ ଏଠାରେ ଯୋଗ ଦେଲେ ଅଶାନ୍ତି ବାତାବରଣ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତାଙ୍କୁ ଏଠାରେ ନିଯୁକ୍ତି ନ କରିବାକୁ ସାଧାରଣ ରେ ମଧ୍ୟ ମତ ପ୍ରକାଶ ପାଇଛି। ଏଥି ପ୍ରତି ରାଜ୍ୟ ପଂଚାୟତିରାଜ୍ ଓ ପାନୀୟ ଜଳ ବିଭାଗ, କଳାହାଣ୍ଡି ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ ନ କଲେ ଅଗାମୀ ଦିନରେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଆନ୍ଦୋଳନକାରୀ ଜନପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳରେ ତହସିଲଦାର ଅରୁଣ ବର୍ଗେ, କର୍ଲାମୁଣ୍ଡା ବିଡ଼ିଓ ଦେବେନ୍ଦ୍ର ସାମଲ, ମ. ରାମପୁର ଥାନା ଅଧିକାରୀ ବିରବର ଭଗତ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା, ରିଷିଡା ଫାଣ୍ଡି ଅଧିକାରୀ ମନୁଆଁ ବିଡିକା ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ ଖବର ଲେଖା ପର୍ଯ୍ୟନ୍ତ ଧାରଣା ଜାରୀ ରହିଥିବା ଦେଖିବାକୁ ମିଳିଛିl
Kalahandi