ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ନେଇ ଧର୍ମଗଡ଼ରେ ଆନ୍ଦୋଳନ

ଧର୍ମଗଡ଼:ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ନେଇ ଧର୍ମଗଡ଼ରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି।ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନସନ ଯୋଜନାଭୁକ୍ତ )ର ଡାକରାରେ ଧର୍ମଗଡ଼ ବ୍ଲକର ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ବିଶାଳ ଶୋଭାଯାତ୍ରା ମା ଭଣ୍ଡାର ଘରଣୀ ମନ୍ଦିରରୁ ବାହାରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଧର୍ମଗଡ଼ ପର୍ଯ୍ୟନ୍ତ ଆସିଥିଲା। ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ମାର୍କଣ୍ଡ ନାଗ ଓ ସମ୍ପାଦକ ଗିରିଧାରୀ ସାହୁଙ୍କ ନେତୃତ୍ୱରେ ୩ଟି ଦାବି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରି ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରି ସହିତ ଯୋଡି ୬ଟି ଇନକ୍ରିମେଣ୍ଟ ପ୍ରଦାନ କରିବା ତଥା ସମ୍ପୂର୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ  ଦରମା ପ୍ରଦାନ କରିବା, ପୁରୁଣା ପେନସନ ଲାଗୁ କରିବା ଆଦି ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଦାବି କରାଯାଇଛି।  ମୁଖ୍ୟମନ୍ତ୍ରୀ ,ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓଡିଶା, ମାନ୍ୟବର ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପ୍ରିନସିପାଲ ସେକ୍ରେଟାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ରାଜ୍ୟ ମୁଖ୍ୟ ସାଧାରଣ ସମ୍ପlଦକ, ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ମୁଖ୍ୟ ସାଧାରଣ ସମ୍ପାଦକ ବଂକିମ ଚନ୍ଦ୍ର ସାଗର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ନେଇ ତୀବ୍ର ଉଦବେଗ ପ୍ରକାଶ କରିଥିଲେ। ଏହାଛଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରା, କନିଷ୍ଠ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ବିକ୍ରମ ପ୍ରଧାନ, ବ୍ଲକ ସମ୍ପାଦିକା ପାର୍ବତୀ କର,କନିଷ୍ଠ ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସମ୍ପାଦକ ନୟନ କୁମାର ସାହୁ ଯୋଗଦେଇ ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ ଉପରେ ଖୁବ ବର୍ଷିଥିଲେ। ପ୍ରତିବାଦ ସଭାକୁ ବ୍ଲକ କୋଷାଧ୍ୟକ୍ଷ ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଟକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବ୍ଲକର ବହୁ ସଂଖ୍ୟକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ  ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର