ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ କଳାହାଣ୍ଡି ମହାରାଜାଙ୍କ ରାଜବାଟୀରେ ୪ଜଣ ଡକାୟତ ପାଚେରି ଡେଇଁ ଡକାୟତି କରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ପଶିଥିଲେ। ଏହି ସମୟରେ ପାଚେରି ଆରପଟେ ଥିବା ମନ୍ଦାର ବଗିଚାପଡ଼ାର କିଛି ଯୁବକ ଡକାୟତି ଗ୍ୟାଙ୍ଗ ପଶିଥିବା ଦେଖି ରାଜବାଟୀ କର୍ମଚାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ଖବର ପାଇ କର୍ମଚାରୀମାନେ ପାଚେରି ପାର୍ଶ୍ୱରେ ଖାନତଲାସୀ କରିଥିଲେ। କୌଶଳ କ୍ରମେ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲେ। କିନ୍ତୁ ଡକାୟତି ଗ୍ୟାଙ୍ଗର ଜଣେ ବୁଦା ମଧ୍ୟରେ ଲୁଚି ଯାଇଥିଲା। ସେଠାରେ ସୁରକ୍ଷା କର୍ମଚାରୀଙ୍କୁ ଡକାୟତ ଜଣକ ଆକ୍ରମଣ କରିଥିଲା। । ପରେ ସମସ୍ତ ସୁରକ୍ଷା କର୍ମଚାରୀ ପହଞ୍ଚିବା ପରେ ଡକାୟତ ସହ ଧସ୍ତାଧସ୍ତି ହେବା ସହ କୌଶଳକ୍ରମେ ତାକୁ କାବୁ କରି ନେଇଥିଲେ।
କାବୁ କରିବା ପରେ ତାକୁ ପଚାରିବାରୁ ବିହାରରୁ ୪ ଜଣ ଆସିଥିବା କହିଥିଲା। ହେଲେ କିଛି ସମୟ ପରେ ଡକାୟତ ଜଣକ ଖସିଯିବାକୁ ଉଦ୍ୟମ କରିବା ବେଳେ ସୁରକ୍ଷାକର୍ମୀମାନେ ତାକୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଡକାୟତ ଜଣକ ଅଚେତ ହୋଇପଡ଼ିଥିଲା। ପରେ ତାକୁ ଭବାନୀପାଟଣା ଟାଉନ ଥାନାକୁ ନେଇ ଜିମା ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଟାଉନଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏସ୍ଆଇ ତପନ କାଲୋ ଘଟଣାର ତଦନ୍ତ କରୁଛନ୍ତି। ଗୁରୁତର ଡକାୟତକୁ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସଂପୃକ୍ତ ଡକାୟତମାନଙ୍କ ପରିଚୟ ମିଳି ନଥିଲା। ଏନେଇ ଟାଉନଥାନା ପୁଲିସ ଆଇଆଇସି ଯଶୋବନ୍ତ ହିଆଲଙ୍କୁ ପଚାରିବାରୁ ସଂପୃକ୍ତ ଡକାୟତ ଆହତ ଥିବାରୁ ତାକୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିଜ ପରିଚୟ ଦେଇପାରୁନାହିଁ, ସେ ବ୍ୟବହାର କରୁଥିବା ମୋବାଇଲର ସିମ ମଧ୍ୟ ନାହିଁ। ସେ ସୁସ୍ଥ ହେବା ପରେ ଅଧିକ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/bh.png)