ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା ଅଭିଯୁକ୍ତ ସରପଞ୍ଚଙ୍କ ଜାମିନ ଶୁଣାଣି ଡିସେମ୍ବର ୨କୁ ଘୁଞ୍ଚିଲା

୯ ଦିନ ପରେ ଆକ୍ରମଣକାରୀଙ୍କ ଟେର୍‌ ପାଉନି ପୁଲିସ -ଗାଁରେ ଅଛନ୍ତି ପୀଡ଼ିତା, ସୁରକ୍ଷା ନେଇ ପ୍ରଶ୍ନବାଚୀ

ଭବାନୀପାଟଣା: ଆବାସ ଯୋଜନା ଘର ଯୋଗାଇ ଦେବା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ରଖିବା ଘଟଣାରେ ଜେଲ୍‌ ଯାଇଥିବା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ସାଲେପାଲି ପଞ୍ଚାୟତର ସରପଞ୍ଚଙ୍କ ଜାମିନ ଶୁଣାଣି ଆସନ୍ତା ଡିସେମ୍ବର ୨ ତାରିଖକୁ ଘୁଞ୍ଚିଛି। ଗୁରୁବାର ଭବାନୀପାଟଣା ଜିଲ୍ଲା ଦୌରାଜଜ୍ କୋର୍ଟରେ ଅଭିଯୁକ୍ତ ସରପଞ୍ଚଙ୍କ ଜାମିନ ଶୁଣାଣି ହୋଇଥିଲା। ମାନ୍ୟବର ଅଦାଲତ ଜାମିନ ଆବେଦନ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି।

ଅନ୍ୟପଟେ ଗତ ୯ ଦିନ ପରେ ମଧ୍ୟ ପୀଡ଼ିତାଙ୍କୁ ଆକ୍ରମଣ ଘଟଣାରେ ମାତ୍ର ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଧରି ପାରି ନାହିଁ। ପୀଡ଼ିତା ଏବେ ଗାଁରେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତାଙ୍କର ଓ ତାଙ୍କ ପରିବାରର ସୁରକ୍ଷା ନେଇ କିଛି କରାଯାଇନାହିଁ।

ସୂଚନାଯୋଗ୍ୟ ଯେ, ସାଲେପାଲି ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଜଣେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ସର୍ତ୍ତ ରଖିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ଗତ ୧୯ ତାରିଖ ଦିନ ସେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଗୁରୁବାର ଜିଲ୍ଲା ଦୌରାଜଜ୍ କୋର୍ଟରେ ପୀଡ଼ିତା ହାଜର ହୋଇଥିଲେ। ଏହି ମାମଲାର ପୁଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିନଥିବା ଯୋଗୁଁ ଜାମିନ ଆବେଦନ ଶୁଣାଣି ଆସନ୍ତା ଡିସେମ୍ବର ୨ ତାରିଖକୁ ଘୁଞ୍ଚାଇଥିଲେ। ପୀଡ଼ିତାଙ୍କ ବାପା ମା’ ଆସିବା ପରେ ସେ ସ୍ୱାଧାର ଗୃହରୁ ଯାଇ ନିଜ ଗାଁରେ ରହୁଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ବିଷୟରେ ସେ ମଦନପୁର ରାମପୁର ଥାନାରେ ସୂଚନା ମଧ୍ୟ ଦେଇଛନ୍ତି। କିନ୍ତୁ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସୁରକ୍ଷା ଦିଆଯାଇ ନାହିଁ। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଥାନାରେ ଆକ୍ରମଣ ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରାୟ ୨୦ରୁ ୨୫ ଅନ୍ୟ ଅଭିଯୁକ୍ତ ମହିଳା ଓ ପୁରୁଷଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି। ଏନେଇ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ସେ କହିଲେ, ପୀଡ଼ିତା ତାଙ୍କ ବାପା ମା’ଙ୍କ ସହିତ ରହୁଛନ୍ତି ଓ କୌଣସି ବିପଦ ନାହିଁ। ତାଙ୍କ ସୁରକ୍ଷା ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେଇଛୁ। ପୀଡ଼ିତାଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପଦକ୍ଷେପ ନିଆଯାଇଛି।

ଅଭିଯୁକ୍ତ ସରପଞ୍ଚଙ୍କ ନାଁରେ ମନରେଗା ଦୁର୍ନୀତି ଅଭିଯୋଗ
ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କ ବିରୋଧରେ ମନରେଗା ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ପଞ୍ଚାୟତ ଅନ୍ତର୍ଗତ ଭଂଗୋମୁଣ୍ଡାଠାରୁ କାରନିମାଲ ରାସ୍ତା ଉନ୍ନୟନ କାମରେ ଆସିଥିବା ମନରେଗା ଯୋଜନାର ୫ ଲକ୍ଷ ଟଙ୍କା କାମ ନ କରି ହଡ଼ପ କରାଯାଇଛି। ଗତ ଫେବ୍ରୁଆରି ୧ ତାରିଖରେ ୫୮ଜଣ ଶ୍ରମିକଙ୍କ ନାମରେ ୯୯ ହଜାର ୬୩୨ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଡ଼ିଥିଲା। ଭେଣ୍ଡରଙ୍କ ଆକାଉଣ୍ଟକୁ ୩ ଲକ୍ଷ ୨୩ ହଜାର ୫୭୪ ଟଙ୍କା ଟ୍ରାନ୍ସଫର ହୋଇଥିଲା। ୫୮ଜଣ ଶ୍ରମିକ କେଉଁ କାମ କରିଛନ୍ତି, କେତେ ଟଙ୍କା ଟ୍ରାନ୍ସଫର ହୋଇଛି ଓ କେତେଟଙ୍କା ଜିଏସ୍‌ଟି ପୈଠ କରିଛନ୍ତି ତାହାର ତଦନ୍ତ କରିବାକୁ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ସେହିଭଳି ଏକ ପରିତ୍ୟକ୍ତ ପୋଖରୀରେ ୩ଟି ଗାଧୁଆ ତୁଠ କରାଯାଇ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ସାଲେପାଲି ପଞ୍ଚାୟତକୁ ଆସି କାମର ତଦନ୍ତ କରିଥିଲେ। ଏନେଇ ଭିଜିଲାନ୍ସ ଡିଏସ୍‌ପିଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ ହୋଇଥିଲା, କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଯୋଗୁଁ ତଦନ୍ତ ପରିସରଭୁକ୍ତ ହୋଇ ନ ଥିବା କହିଥିଲେ। ଗୋଟିଏ ପଟେ ରସିକ ସରପଞ୍ଚ ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ରଖୁଥିବା ବେଳେ ଅନ୍ୟପଟେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ସରପଞ୍ଚ ଜେଲ୍‌ ଯିବା ପରେ ବର୍ତ୍ତମାନ ତାଙ୍କୁ ପଦବୀରୁ ବହିଷ୍କାର କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର