ବିଜେଡି ପାଇଁ ଚ୍ୟାଲେଞ୍ଜ ଭବାନୀପାଟଣା ସଦର, ବିଜେପି ପାଇଁ ବିକଳ୍ପ ଖୋଜା ଚାଲିଛି

ଭକ୍ତଙ୍କ ଭରସାରେ କଂଗ୍ରେସ, ପୁଅଙ୍କୁ ବ୍ରେକ ପାଇଁ କସରତ

ଭବାନୀପାଟଣା, (ଦେବେନ୍ଦ୍ର ବିଶି): କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ଦଳରେ ଛକାପଞ୍ଝା ଚାଲିଛି। ବର୍ତ୍ତମାନ ବିଜେଡି ବିଧାୟକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ବିଜେଡି ନୂଆ ମୁହଁ ନେଇ ବିକ‌ଳ୍ପ ଖୋଜୁଛି। ଅନ୍ୟପକ୍ଷରେ ବି‌ଜେପିର କିଏ ହେବ ବିଧାୟକ ପ୍ରାର୍ଥୀ ବୋଲି ଖୋଜା ଚାଲିଥିବା ବେଳେ କଂଗ୍ରେସ ଦଳ ଭକ୍ତଙ୍କ ଭରସାରେ ହାତବାନ୍ଧି ବସିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ ଭବାନୀପାଟଣା ବ୍ଲକ ଓ କେସିଙ୍ଗା ବ୍ଲକର କିଛି ଅଞ୍ଚଳକୁ ନେଇ ଗଠିତ ହୋଇଛି। ଆଗାମୀ ନିର୍ବାଚନରେ ୨ଲକ୍ଷ ୨୫ ହଜାର ୧୧୭ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ସେଥି ମଧ୍ୟରୁ ୧ଲକ୍ଷ ୧୪ ହଜାର ୯୩୮ ଜଣ ପୁରୁଷ, ୧ଲକ୍ଷ ୧୦ ହଜାର ୧୫୯ ଜଣ ମହିଳା ଓ ୨୦ ଜଣ ଅନ୍ୟାନ୍ୟ ଭୋଟର ୨୬୮ଟି ବୁଥରେ ନିଜର ଭୋଟ ଅଧିକାରକୁ ସାବ୍ୟସ୍ତ କରିବେ। ଚଳିତବର୍ଷ ୨୫୨୫ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳୀ ଅନୁସୁଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନାମ ନାଏକ ୫୪ ହଜାର ୮୨୫ଟି ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଦୁଷ୍ମନ୍ତ ନାଏକ ୪୪ ହଜାର ୧୧ଟି ଭୋଟ ପାଇ ପରାଜିତ ହୋଇଥିଲେ। ବର୍ତ୍ତମାନ ପରିସ୍ଥିତି ବଦଳିଛି ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ କଂଗ୍ରେସଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କୁ ଥଇଥାନ କରିବା ପାଇଁ ଦଳ ବର୍ତ୍ତମାନ ଦୁଷ୍ମନ୍ତଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ‌ଯୋଜନା ଚଳାଇଛି। ବର୍ତ୍ତମାନ ବିଧାୟକ ଥିବା ଅନାମଙ୍କ ପାଇଁ ଏହା ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦଳରେ ଅନ୍ୟ ବିକଳ୍ପ ଭାବରେ ଦୁଷ୍ମନ୍ତଙ୍କ ପତ୍ନୀ ଲଳିତା ନାଏକଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଓ ମଣ୍ଟୁ ନାଏକଙ୍କୁ ପ୍ରାର୍ଥୀ କରି ଯୁବକ କାର୍ଡ ମଧ୍ୟ ଖେଳିପାରେ ବୋଲି ସମର୍ଥକ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ବିଜେଡିରେ ଭବାନୀଶଙ୍କର ନିଆଲ, ଚକ୍ରଧର ସେଠୀ, ଅଶେଶ୍ବର ବାଗ, ବସନ୍ତ ନାଏକ, ହେମନ୍ତ ନାଏକ ପ୍ରମୁଖ ଏହି ରେସରେ ଅଛନ୍ତି। ସେହିଭଳି ବିଜେପି ଦଳରେ ବିଧାୟକ ପ୍ରାର୍ଥୀ ପାଇଁ ଅନିଶ୍ଚିତତା ଲାଗି ରହିଛି। ଗତଥର ସାଂସଦ ପ୍ରାର୍ଥୀ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଦଳ ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ କରି ସାଂସଦ ପ୍ରାର୍ଥୀ ଭାବରେ କଳାହାଣ୍ଡି ମହାରାଣୀ ପଦ୍ମଜାମଞ୍ଜରୀ ଦେଓଙ୍କୁ ନିର୍ବାଚନରେ ଆଣି ରାଜ ପରିବାର କାର୍ଡ ଖେଳିବାକୁ ଦଳ ପକ୍ଷରୁ ବିଚାର ବିମର୍ଶ ଚାଲିଛି। ଗତ କିଛିଦିନ ତଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଭାରେ ଏହାର ଝଲକ ଦେଖିବାକୁ ମିଳିଥିଲା। ଯଦି ପ୍ରଦୀପ୍ତଙ୍କୁ ସାଂସଦ ପ୍ରାର୍ଥୀ କରାଯାଏ ତାହେଲେ ଦଳ ପକ୍ଷରୁ ଦୟାନିଧି ନାଏକ, ରୋହିତ ଦୁର୍ଗା ପ୍ରମୁଖ ଏହି ରେସରେ ଅଛନ୍ତି। କଂଗ୍ରେସ ଦଳ ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ନିଜ ପୁଅ ସାଗର ଚରଣ ଦାସଙ୍କୁ ସଦର ବିଧାନସଭା ପ୍ରାର୍ଥୀ କରି ରାଜନୀତି ମଇଦାନରେ ପୁଅକୁ ବ୍ରେକ ଦେବା ପାଇଁ ଅଣ୍ଟା ଭିଡିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ସଭାପତି ଭାରତଭୂଷଣ ବେମାଲ ଓ ଦେବୀ ପ୍ରସାଦ ସିନ୍ଦୁର, ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ ମଧ୍ୟ ଏହି ରେସରେ ଅଛନ୍ତି। ତିନି ଦଳରେ ନୂଆ ପ୍ରାର୍ଥୀ ପାଇଁ ଖୋଜିବା ଅନାମ ନାଏକଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଅନାମ ଏବେ ବିଜେଡି ଜିଲ୍ଲା ପ୍ରଭାରୀ ନିରଞ୍ଜନ ପୁଝାରୀଙ୍କ ଗୁଡବୁକରେ ଥିବା ଯୋଗୁଁ ଏହାକୁ ଆୟୁଧ କରିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ଶାସକ ବିଧାୟକ ଓ ଅନ୍ୟପଟେ କଂଗ୍ରେସରୁ ଆସି ଯୋଗଦେଇଥିବା ଦୁଷ୍ମନ୍ତଙ୍କ ମଧ୍ୟରେ ଟିକେଟ ପାଇଁ ଦୌଡ ଆରମ୍ଭ ହୋଇଛି।

ସଦର ନିର୍ବାଚନ ମଣ୍ଡଳୀରେ ପ୍ରସଙ୍ଗ ଅପେକ୍ଷା ଦଳୀୟ ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ବ ଦେବା ବିଷୟ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏପର୍ଯ୍ୟନ୍ତ ବହୁ ଅଞ୍ଚଳରେ ଗମନାଗମନ, ଶିକ୍ଷା‌, ସ୍ବାସ୍ଥ୍ୟସେବା, ପାନୀୟଜଳ ପ୍ରମୁଖ ନିର୍ବାଚନୀ ଇସୁ ଥିବା ବେଳେ ବୋର୍ଡ ଅଞ୍ଚଳକୁ ମିଲକୀ ଅଞ୍ଚଳ ଘୋଷଣା କରିବା, ନୂଆ ବ୍ଲକ ଗଠନ ଦାବି ଶାସକ ଦଳ ପାଇଁ ଅଡୁଆ ସାଜିଛି। ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳର ଅବହେଳାକୁ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ତୟାର ହୋଇଛନ୍ତି। ତିନି ଦଳରେ ନୂଆ ମୁହଁ ପାଇଁ କଣ ବିକଳ୍ପ ନେଉଛନ୍ତି ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ଅନାମ ନାଏକ    ୫୪,୮୨୫
କଂଗ୍ରେସ  ଦୁଷ୍ମନ୍ତ ନାଏକ     ୪୪,୦୧୧
ବିଜେପି   ଦୟାନିଧି ନାଏକ  ୩୨,୪୪୯

ସମ୍ବନ୍ଧିତ ଖବର