ଭିଜିଲାନ୍ସ ଜାଲ: ଧରାପଡ଼ିଲେ ବୁଢ଼ୀଦର ଆର୍‌ଆଇ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲ ଅନ୍ତର୍ଗତ ବୁଢୀଦର ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ସଞ୍ଜୟ ପଣ୍ଡା ବୁଧବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜୁନାଗଡ଼ ତହସିଲ ଅନ୍ତର୍ଗତ ବୁଢୀଦର ଆର୍‌ଆଇ ଶ୍ରୀ ପଣ୍ଡା ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଜିଲିଂଦର ନିକଟ ବୈଦପଡ଼ାର ଗ୍ରାମର ପ୍ରାୟ ୬୦ରୁ ୭୦ଜଣଙ୍କୁ ୫୦୦ଟଙ୍କା ଲେଖାଏଁ ଲାଞ୍ଚ ମାଗିଥିଲେ। ଏ ନେଇ ସେମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ବୁଧବାର ବିଭିନ୍ନ ହିତାଧିକାରୀଙ୍କଠାରୁ ଟଙ୍କା ସଂଗ୍ରହ କରି ବସନ୍ତ ସାମଲଙ୍କ ଜରିଆରେ ରାସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଆରଆଇ ସଂଜୟ ପଣ୍ଡାଙ୍କୁ ଦିଆଯାଇଥିଲା। ଏହି ସମୟରେ ଛପି ରହିଥିବା ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଇନ୍‌ସପେକ୍ଟର ଶିବରାମ ସାହୁ, ଭି. ବାସୁଦେବ ରାଓ, ଅଶୋକ ବିରୁଆ ପ୍ରମୁଖ ଚଢ଼ଉ କରି ଆର୍‌ଆଇ ଶ୍ରୀ ପଣ୍ଡାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରିବା ସହିତ ଗିରଫ କରିଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ପଣ୍ଡାଙ୍କ ଜୁନାଗଡ଼ ସହରର ବ୍ରାହ୍ମଣପଡାସ୍ଥିତ ବାସଭବନରେ ବି ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।
ପଞ୍ଚମହଲା ଜିଆରଏସ୍‌ ବରଖାସ୍ତ
ସୋନପୁର,: ଗତ ୨ ତାରିଖ ଦିନ ବିଲ କରାଇ ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଉଲୁଣ୍ଡା ବ୍ଲକ ପଞ୍ଚମହଲା ପଞ୍ଚାୟତର ଜିଆରଏସ୍‌(ଗ୍ରାମ ରୋଜଗାର ସେବକ) ସୌଭାଗ୍ୟବନ୍ତ ସାହୁଙ୍କୁ ଜିଲ୍ଲାପାଳ ଦାଶରଥି ଶତପଥୀ ଚାକରିରୁ ବରଖାସ୍ତ କରିଛନ୍ତି। ଏହି ବରଖାସ୍ତ ଆଦେଶନାମା ୨ ତାରିଖରୁ ଲାଗୁ ହୋଇଛି। ପଞ୍ଚମହଲା ଗ୍ରାମ ପଞ୍ଚାୟତ ଅମୁର୍ଡା ଗ୍ରାମର ଆଶାରାମ ସାହୁ ୨୦୧୬-୧୭ ଆର୍ଥିକ ବର୍ଷରେ ବିଜୁ ପକ୍କା ଗୃହ ପାଇଥିଲେ। ଆଶାରାମ ତୃତୀୟ ପର୍ଯ୍ୟାୟ ୪୫ ହଜାର ଟଙ୍କାର ବିଲ ପାଇାବକୁ ଥିଲା। ଏଥିପାଇଁ ଜିଆର୍‌ଏସ୍‌ ଶ୍ରୀ ସାହୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଶାରାମ ଏ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଗତ ୨ ତାରିଖ ଦିନ ଜିଆର୍‌ଏସ୍‌ ଶ୍ରୀ ସାହୁ ଆଶାରାମଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ସେହିପରି ଡିଆର୍‌ଡିଏ ପିଡି ସୂର୍ଯ୍ୟ ନାରାୟଣ ଦାଶ ଜିଆର୍‌ଏସ୍‌ ଶ୍ରୀ ସାହୁଙ୍କୁ ବରଖାସ୍ତ କରିବାକୁ ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ।

ସମ୍ବନ୍ଧିତ ଖବର