ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ବୁଧବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ସହିତ ସମ୍ପନ୍ନ ହୋଇଛି। ୧୪୪ ଧାରା ଲାଗୁ ଯୋଗୁ ବ୍ୟାରିକେଡ୍ ବାହାରେ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ପଶୁ-ପକ୍ଷୀଙ୍କ ବଳି ଦେଇଥିଲେ। ଜେନାଖାଲ ନିକଟରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ୨ ପାର୍ଶ୍ଵରେ ବ୍ୟାରିକେଡ୍ ବାହାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ।
ପ୍ରଥା ଆଗରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଥିବା ଜିଲ୍ଲାସାରା ଚର୍ଚ୍ଚା ହେଉଛି। ଯାତ୍ରାର ପୂର୍ବଦିନ ମାଇକ୍ ଯୋଗେ ୧୪୪ ଧାରା ଲଗାଯାଇଥିବା ଘୋଷଣା ହୋଇଥିଲା। ୧୪୪ ଧାରା ଯୋଗୁଁ ଭବାନୀପାଟଣା ସହରର ସମସ୍ତ ଦୋକାନ, ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରର ଦର୍ଶନ ନିମନ୍ତେ ଶହ ଶହ ଭକ୍ତ ପୁଲିସ କଟକଣାକୁ ବେଖାତିର କରି ସମାଗମ ହୋଇଥିଲା। ଗତ ୧୨ ତାରିଖ ମଙ୍ଗଳବାର ମହାଅଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ) ଙ୍କ ସମ୍ମୁଖରେ ପୋଢ଼ ବଳି ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା। ବୁଧବାର ସକାଳ ୪ଟା ୫୫ରେ ଛତର ଜେନାଖାଲରେ ପହଞ୍ଚି ଥିଲା। ଆଜି ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି ଓ ମନ୍ତ୍ରଯନ୍ତ୍ର ଓ ତନ୍ତ୍ର ପୂଜାପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ସକାଳ ୬ଟା ୫୦ ମିନିଟ୍ରେ ଆରମ୍ଭ ହୋଇଥିଲା। ଘୁମୁରା, ନିଶାନ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମାଣିକେଶ୍ୱରୀ ମନ୍ଦିରକୁ ସକାଳ ୮ଟା ୪୫ ମିନିଟ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଛତରକୁ ମାନସିକ କରି ହଜାର ହଜାର କୁକୁଡ଼ା, ପାରା, ବୋଦା, ମେଣ୍ଢା ଆଦି ରାସ୍ତାର ୨ ପାର୍ଶ୍ବରେ ବ୍ୟାରିକେଡ୍ ବାହାରେ ବଳି ଦିଆଯିବାରୁ ଗଳି ରାସ୍ତା ଗୁଡ଼ିକ ରକ୍ତରଞ୍ଜିତ ହୋଇଯାଇଥିଲା। ଭକ୍ତମାନେ ପୂଜାର୍ଚ୍ଚନା କରିଥିବା ବେଳେ ପାରାକୁ ଉଡ଼ାଇଥିଲେ। ଛତର ସମ୍ମୁଖରେ ଘୁମୁରା ନୃତ୍ୟ, ଘଣ୍ଟବାଦ୍ୟ ଓ ନିଶାନ ବାଦ୍ୟ ପରିବେଷଣ ହୋଇଥିଲା। ମାଁ ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା କ୍ଷଣି ମହାରାଜ ଅନନ୍ତ ପ୍ରତାପ ଦେଓ ଓ ତାଙ୍କ ପରିବାରର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ୧୪୪ ଧାରା ଘୋଷଣା କରାଯାଇଥିଲେ ମଧ୍ୟ ପ୍ରତିବର୍ଷ ଭଳି ଏହାର ପ୍ରଭାବ ଭକ୍ତଙ୍କ ଉପରେ ପଡ଼ିନଥିଲା। ବହୁ ଦୂରରୁ ପାରା ମାନଙ୍କୁ ଭକ୍ତମାନେ ଉଡ଼ାଉଥିଲେ। ଏହାସତ୍ତ୍ବେ ପାରାମାନେ ଉଡ଼ିଆସି ଛତର ଉପରେ ବସିଥିବା ଘଟଣା ଭକ୍ତ ଓ ଦର୍ଶକଙ୍କୁ ବିସ୍ମୟ କରିଥିଲା।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। କଳାହାଣ୍ଡି ପୁଲିସ ଅତିରିକ୍ତ ଏସ୍ପି ବିଜୟ ନନ୍ଦଙ୍କ ନେତୃତ୍ବରେ ସ୍ଥିତି ଉପରେ ନଜର ରଖାଯାଇଥିଲା। ଛତର ଯାତ୍ରା ନିମନ୍ତେ ୨ ପ୍ଲାଟୁନ୍ ସିଆର୍ପିଏଫ, ୨ ପ୍ଲାଟୁନ୍ ଆଇଆରବିଏନ୍ ଓ ୧୦ ପ୍ଲାଟୁନ୍ ସାଧାରଣ ପୁଲିସ ସମେତ ମୋଟ୍ ୧୪ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ଥିଲେ। କଳାହାଣ୍ଡି ଜିଲ୍ଲାପାଳ ଡା ଗାଭାଲି ପରାଗ ହର୍ଷଦ ଛତର ଯାତ୍ରାକୁ ଆସି ପରିସ୍ଥିତିର ତଦାରଖ କରିଥିଲେ।