ରାସାୟନିକ ପଦାର୍ଥ ବୋଝେଇ ଦୁଇଟି ଟ୍ରକ୍‌ ଅଟକ ଘଟଣା:ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବ୍‌ରୁ ମିଳିଲା କ୍ଲିନ୍‌ ଚିଟ୍‌

ଭବାନୀପାଟଣା: ଭବାନୀପାଟଣା ସହରରେ ଗତ ସୋମବାର ସଦର ଥାନା ପକ୍ଷରୁ ୨ଟି ରାସାୟନିକ ବୋଝେଇ ଟ୍ରକ୍‌କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ମଙ୍ଗଳବାର ଘଟଣାରେ ଭିନ୍ନ ମୋଡ଼ ନେଇଛି। ରାସାୟନିକ ପଦାର୍ଥ ବିସ୍ଫୋରକ ନୁହେଁ ବୋଲି ରାଜ୍ୟ ଫରେନ୍‌ସିକ ଲ୍ୟାବ କ୍ଲିନଚିଟ୍‌ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ କିଛି ଗଣମାଧ୍ୟମରେ ଏହି ଖବରକୁ ବିସ୍ଫୋରକ ବୋଝେଇ ଟ୍ରକ ବୋଲି ଗୁଜବ ଖବରକୁ ପୁଲିସ ମିଛ ବୋଲି କହିଛି।
ସୂଚନାରୁ ପ୍ରକାଶ ଯେ, ଛତିଶଗଡ଼ ରାଜ୍ୟ ଭିଲାଇରୁ ସିଜି ୦୪ଏମ୍‌ ୭୩୬୫ ଓ ସିଜି ୦୪ ଏଚ୍‌ ଜେଡ୍‌ ୬୯୮୭ ଟ୍ରକରେ ଚମଡ଼ା କାରଖାନା ମାନଙ୍କରେ ବ୍ୟବହୃତ ହେଉଥିବା ବେସିକ୍‌ କ୍ରୋମିୟମ୍‌ ସଲ୍‌ଫେଟ୍‌ ଗୁଣ୍ଡ ବୋଝେଇ ଦୁଇଟି ଟ୍ରକ୍‌ ବିଶାଖାପାଟଣା ଅଭିମୁଖେ ଯାଉଥିଲା।

ଅଟକ ୨ ଟ୍ରକର ଡ୍ରାଇଭର ରାୟପୁର ହୀରାପୁରର ଗୁରମିତ ସିଂ ଓ ରାୟପୁର ସନ୍ତୋଷୀ ନଗରର ସଞ୍ଜୟ କୁମାର ନାଗେଶଙ୍କୁ ପୁଲିସ ପଚରାଉଚରା କରିଥିଲା। ପ୍ରତ୍ୟେକ ଟ୍ରକରେ ୪୮୦ବସ୍ତା ରାସାୟନିକ ପଦାର୍ଥ ବୋଝେଇ ହୋଇଥିଲା । ଏହାକୁ ଭିଲାଇ ନନ୍ଦିନୀ ରୋଡର ବିଷ୍ଣୁ କେମିକାଲ ଲିମିଟେଡ ପକ୍ଷରୁ ବିଶାଖାପାଟଣା ନିଆଯାଉଥିବା ଜଣାପଡିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏହି ରାସାୟନିକ ପଦାର୍ଥ ବିସ୍ଫୋରକ ନୁହେଁ ବୋଲି ରାଜ୍ୟ ଫରେନ୍‌ସିକ ଲ୍ୟାବ କ୍ଲିନଚିଟ ଦେଇଛି। ଏନେଇ ସଦରଥାନା ଆଇଆଇସିଙ୍କୁ ପଚାରିବାରୁ ଲ୍ୟାବ ରିପୋର୍ଟକୁ ଭିତ୍ତି କରି ଆାମେ କେବଳ ଏକ ଷ୍ଟେସନ ଡାଏରି କରି ଛାଡ଼ିଦେବୁ ବୋଲି କହିଥିଲେ। ଫଳରେ ଗତ ଦୁଇଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।

ସମ୍ବନ୍ଧିତ ଖବର