ମଦନପୁର ରାମପୁର: କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର ଅଧିଷ୍ଠାତ୍ରୀ ଦେବୀ ମାଁ ଡୋକରୀଙ୍କ ଆଜି ପବିତ୍ର ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗଡ଼ଜାତ ଅଞ୍ଚଳ ହୋଇଥିବାରୁ କାହିଁ କେଉଁ କାଳରୁ ମାଁ ଡୋକରୀ ରାଜାଙ୍କ ଗଡରେ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଦଶହରା ମାସର ଅଷ୍ଟମୀ ତିଥିରେ ମାଁଙ୍କ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ। ହେଲେ ବର୍ତ୍ତମାନ ରାମପୁର ଗଡ଼ଜାତର ନୂତନ ଭାବେ ଅଭିଷିକ୍ତ ହୋଇଥିବା ରାଜା ତଥା ମାଁ ଙ୍କ ମୁଖ୍ୟ ସେବକ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଏବଂ ମନ୍ଦିର ପରିଚାଳନା କମିଟି ର ପ୍ରସ୍ତାବ କ୍ରମେ ପ୍ରଥମ କରି ମାଁଙ୍କ ଭବ୍ୟ ଛତର ଯାତ୍ରା ଅନୁଷ୍ଠିତ ହୋଇଛି।

Advertisment

ଆଜି ଭୋର୍ ସମୟରେ ମାଁଙ୍କ ଛତର ସ୍ଥାନୀୟ ଜେନାଖାଲକୁ ନିଆଗଲାପରେ ସେଠାରେ ମାଁଙ୍କ ପୂଜାର୍ଚ୍ଚନା ଯଥାରୀତି କରାଯାଇଥିଲା।ସେଠାରେ ପୂଜାର୍ଚ୍ଚନା ପରେ ମାଁଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଥିଲେ। କଳାହାଣ୍ଡିର ବିର ବାଦ୍ୟ ଘୁମୁରା ସହିତ ଘଣ୍ଟ ଓ ଘଣ୍ଟା ତାଳ ନିଶାନ, ଆଦିବାସୀ ନୃତ୍ୟ ଆଦିର ତାଳେତାଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଛକକୁ ଛକ ପୂଜା ପାଇ ଝୁମିଝୁମି ମା’ ମନ୍ଦିର ଅଭିମୁଖେ ଆସିଥିଲେ।

ଫେରିବା ବାଟରେ ମାଁଙ୍କ ଚମତ୍କାର ମଧ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ରାମକୃଷ୍ଣ ଲଜ୍ ପାଖକୁ ଛତର ଆସିଲା ବେଳକୁ ପାରା ଟିଏ ଉଡ଼ି ଆସି ଛତର ଉପରେ ବସିଥିଲା। ପରେପରେ ସମୟ ସମୟରେ ତିନିରୁ ଚାରିଟି ପର୍ଯ୍ୟନ୍ତ ଆସି ବସିଥିଲେ। ଯେତେବେଳେ ଛତର ମନ୍ଦିର ଭିତରେ ପ୍ରବେଶ କଲେ ସେତେବେଳ ଅନ୍ୟ ପାରାମାନେ ଉଡ଼ି ଯାଇଥିବାବେଳେ ସେହି ପ୍ରଥମ ପାରଟି ଭିତରେ ପ୍ରବେଶ କରିବା ଦେଖିବାକୁ ମିଳିଥିଲା। ଏହା ଦେଖି ଭକ୍ତଙ୍କ ମଧ୍ୟରେ ମାଁଙ୍କ ପ୍ରତି ଆସ୍ଥା ବୃଦ୍ଧି ପାଇଥିଲା। ମାଁଙ୍କ ମନ୍ଦିର ପ୍ରବେଶ ପରେ ଯଥାରୀତି ପୂଜା ଓ ଛେଳି କୁକୁଡ଼ା ବଳି ଆଦି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। 

ଚଳିତ ବର୍ଷ ପ୍ରଥମ କରି ଏହି ୟାତ୍ର ଅନୁଷ୍ଟିତ ହୋଇଥିବାରୁ ବ୍ଲକର କୋଣ ଅନୁକୋଣ ତଥା ପଡ଼ୋଶୀ କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା, କନ୍ଧମାଳ ଜିଲ୍ଲାର ତୁମ୍ବୁଡ଼ିବନ୍ଧ ଅଞ୍ଚଳରୁ ମଧ୍ୟ ଭକ୍ତ ଙ୍କ ସୁଅ ଛୁଟିଥିଲା। ଏହି ଯାତ୍ରା ବିଷୟରେ ଆଗରୁ ପ୍ରଚାର ପ୍ରସାର ହୋଇଥିଲେ ହେଁ ସମୟ ନେଇ ଅନେକ ଶ୍ରଦ୍ଧାଳୁଙ୍କ ପାଖରେ ସଠିକ୍ ତଥ୍ୟ ନ ଥିବାରୁ ଯାତ୍ରା ସରିବା ପରେ  ଆସି ଅନେକ ଭକ୍ତ ମାଁଙ୍କ ଦର୍ଶନ ପାଇ ନ ପାରି ଫେରି ଯାଇ ଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ: ନିରଞ୍ଜନ ମହାରଣା