ଧର୍ମଗଡ଼: କଳାହାଣ୍ଡିଜିଲ୍ଲା କୋକସରା ଥାନା ସର୍ଗିଗୁଡ଼ା ଗ୍ରାମର କୁମୁଦ ସିଂ ରାଜପୁତକୁ ଗତ ୧୨/୯/୨୦୨୨ ତାରିଖ ଦିନ ସେହି ଗ୍ରାମର ଭୁବନେ ପୁଝାରି ଏକ ଠେଙ୍ଗାରେ ମାରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି |
ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ଗତ ୧୨/୯/୨୦୨୨ ତାରିଖ ଦିନ ସର୍ଗିଗୁଡାର ଏକ ପାଣି ଟାଙ୍କି ପାଖରେ ଗାଁ ଲୋକେ ଏକ ମିଟିଂ କରିଥିଲେ।

Advertisment

ଏହି ମିଟିଂ ସମୟରେ ଅଭିଯୁକ୍ତ ଭୁବନେ ପୁଝାରି ମଦ୍ୟପାନ କରି କୁମୁଦ ଚନ୍ଦ୍ର ସିଂ ରାଜପୁତ (୪୫) ଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ହତ୍ୟା ଧମକ ଦେଇ ମିଟିଂସ୍ଥଳରୁ ପଳାଇଥିଲେ। ପରେ ମିଟିଂ ସରିବା ସମୟରେ ଏକ ଠେଙ୍ଗାରେ ଅଭିଯୁକ୍ତ ଭୁବନେ କୁମୁଦଙ୍କୁ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ମାଡ଼ ମାରିଥିଲେ।ସେଠାରେ ମୃତକ ଜଣକ ଚେତାଶୂନ୍ୟ ହୋଇ  ପଡ଼ିଥିଲେ। ଏହି ଘଟଣାକୁ ନେଇ କୋକସରା ପୁଲିସ ନିକଟରେ ମୃତକଙ୍କ ସମ୍ପର୍କୀୟ ଚନ୍ଦ୍ର ହାସ୍ୟ ସିଂ ରାଜପୁତ ଲିଖିତ ଏତଲା ଦେଇଥିଲେ ଓ ପରିବାର ଲୋକେ ପ୍ରଥମ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଓ ପରେ ଛତିଶଗଡ଼ ରାଜ୍ୟ ରାୟପୁରରେ ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାୟପୁରଠାରେ କୁମୁଦଙ୍କ ମୃତ୍ୟୁ ହୋଇଥିଲା। 

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୁବନେ ପୁଝାରିକୁ କୋକସରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ
। ଆଜି ସମସ୍ତ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ଭୁବନେ ପୁଝାରିକୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଧର୍ମଗଡ଼ ସୁରେଶ ଚନ୍ଦ୍ର ପ୍ରଧାନ ଦଣ୍ଡିତ କରିଛନ୍ତି।