କୋକସରା: କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ମୁଗୁନାପଦର ଗ୍ରାମର ସତ୍ୟବାନ କଟା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ସତ୍ୟବାନଙ୍କ ପ୍ରେମିକାର ବାପା ତେଜରାଜ ନାଗଙ୍କୁ ଆମପାଣି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ଗତ ଜାନୁଆରି ଗତ ୧୩ ତାରିଖ ଦିନ ମୁନଗାଁପଦର ଗାଁ ନିକଟରେ ଥିବା ଚାଷ ଜମିରୁ ସତ୍ୟବାନଙ୍କ ଗଳିତ ଶବ ପୁଲିସ ଉଦ୍ଧାର କରିଥିଲା। ମୃତ ଯୁବକଙ୍କ ବାପା କେଶରୀ କଟା ଓ ବଡ଼ ଭାଇ ମଧୁସୂଦନ ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଥିଲେ। ସେହି ଗ୍ରାମର ତେଜରାଜ ନାଗଙ୍କ ଝିଅଙ୍କ ସହିତ କୁଆଡେ ଏକବର୍ଷ ହେବ ସତ୍ୟବାନଙ୍କ ପ୍ରେମ ସର୍ମ୍ପକ ଥିଲା। ଝିଅର ବାପା ସତ୍ୟବାନକୁ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେଇଉଥିବା ଅଭିଯୋଗ ହୋଇ ଆସୁଥିଲା। ଗତ ୫ ତାରିଖ ରାତି ୮ଟା ସମୟରେ ସତ୍ୟ ଓ ତେଜରାଜଙ୍କ ଝିଅ କଥା ହେଉଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଓ ସତ୍ୟବାନ ଆତ୍ମହତ୍ୟା କରିବ ବୋଲି କହିଥିଲା।
ଏହି ଘଟଣା ପରେ ସତ୍ୟବାନ ଆଉ ଘରକୁ ଫେରିନଥିଲା କି ତା’ର ପ୍ରେମିକା ମଧ୍ୟ ଗାଁରେ ନଥିଲା। ଉଭୟ ପ୍ରେମୀଯୁଗଳ ଫେରାର ହୋଇଥିବା ଜାଣି ପରିବାର ଲୋକେ ଚୁପ୍ ରହିଥିଲେ। କିନ୍ତୁ ଗାଁ ପାଖ କାର୍ତ୍ତିକ ବାଗଙ୍କ ଜମିରେ ସତ୍ୟବାନଙ୍କ ଗଳିତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଆମପାଣି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପଚରା ଉଚରା କରିବାରୁ ତେଜରାଜ ସତ୍ୟବାନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।
ଏପରିକି ହତ୍ୟାର ଦୁଇ ଦିନ ଧରି ଶବକୁ ବାଡ଼ି ପଟେ ଲୁଚାଇ ରଖିବା ପରେ କାର୍ତ୍ତିକଙ୍କ ଜମି ହୁଡ଼ାରେ ଶବକୁ ଅନାବନା ଘାସରେ ଢାଙ୍କି ଦେଇ ପାଖରେ କୀଟନାଶକ ଔଷଧ ରଖି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏନେଇ ଆମପାଣି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟା ଅଭିଯୁକ୍ତ ତେଜରାଜଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kld-4.jpg)