ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଦାବି: ରାଜରାସ୍ତାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ

ଧର୍ମଗଡ଼: ନୂତନ ପେନସନ ବ୍ୟବସ୍ଥା-୨୦୦୫କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ଧର୍ମଗଡ଼ଠାରେ ଉପଖଣ୍ଡ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ରାଲି କରାଯାଇଛି। ଏନେଇ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସଂଘର ଏକ ବିରାଟ ଶୋଭାଯାତ୍ରା ମାଆ ଭଣ୍ଡାର ଘରଣୀ ମନ୍ଦିରଠାରୁ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ପ୍ରତିବାଦ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦିଆଯାଇଥିଲା।

ନ୍ୟାସନାଲ ମୁଭମେଣ୍ଟ ଫର ଓଲଡ଼ ପେନସନ ସ୍କିମର ଧର୍ମଗଡ଼ ଉପଖଣ୍ଡ ସଭାପତି ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, କଳାହାଣ୍ଡି ଜିଲ୍ଲା ସଭାପତି ସତ୍ୟବାନ ପାଣିଗ୍ରାହୀ, ଉପଖଣ୍ଡ ସମ୍ପାଦକ ସଂଜୀବ କୁମାର ପାଢୀ, ଆବାହକ ବିଶ୍ୱଜିତ ବେହେରା, ଉପସଭାପତି ରାଜକୁମାରୀ ନାଏକ, ସଙ୍ଗଠନ ସମ୍ପାଦକ ଗିରିଧାରୀ ସାହୁ, ମିଡିଆ ସଂଯୋଜକ ଟିକେଶ୍ୱର ନାଏକ, ରାଜେନ୍ଦ୍ର ଦୁରିଆ, ଯୁଗ୍ମ ସମ୍ପାଦକ ଦେବରାଜ ବେମାଲ, ଭରତ ସୁନାନୀ ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ନୂତନ ପେନସନ ସ୍କିମ ଲାଗୁ ଯୋଗୁଁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଭିନ୍ନ ସମସ୍ୟାର ସଂମ୍ମୁଖୀନ ହେଉଥିବା ଯୋଗୁଁ ଏହାର ଉଚ୍ଛେଦ କରିବାକୁ ଦାବି କରିଥିଲେ।


ସୂଚନାଯୋଗ୍ୟ, ତାରିଖ ୨୦୦୫ ମସିହା ଜାନୁଆରି ୧ ତାରିଖରୁ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରୀ କରୁଥିବା ସମସ୍ତ କର୍ମଚାରୀଙ୍କ ଜମା ଅର୍ଥ ରାଶି ଏନଏସଡିଏଲ ଦ୍ୱାରା ସେୟାର ବଜାରରେ ନିବେଶ କରାଯାଉଛି। ଜମା ଅର୍ଥ ରାଶିର ନିବେଶ କରଯୁକ୍ତ ରହିଛି ଯାହାଦ୍ୱାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ କିଏ ହଜାରେ, କିଏ ବାରଶହ ତ ଆଉ କିଏ ମାତ୍ର ଦୁଇହଜାର ପେନସନ ପାଉଛନ୍ତି। ଫଳରେ ଅବସର ଜୀବନରେ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ବୋଲି ଶିକ୍ଷକ ନେତାମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି। ତେଣୁ ରାଜ୍ୟ ସରକାର ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରିଛନ୍ତି।
ଏହି କ୍ରମରେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଆଜି ନୂତନ ସ୍କିମ ଅଧୀନସ୍ଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଓ ପ୍ରତିବାଦ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଚିନ୍ମୟ ନାୟକଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର