ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାର ଅଚାନକ ପରିଦର୍ଶନ କଲେ ବିଧାୟକ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଜି ବିଧାୟକ ସୁଧୀର ରଞ୍ଜନ ଟଟ୍ଟଯୋଶୀ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ଡାକ୍ତରଖାନାର ଓପିଡ଼ି ଓ ବିଭିନ୍ନ ୱାର୍ଡମାନଙ୍କୁ ବୁଲି ଦେଖିଥିଲେ ସେ। ପରିଦର୍ଶନ ସମୟରେ ଡାକ୍ତରଖାନାରେ ଥିବା ବିଭିନ୍ନ ସମସ୍ୟା ଉପରେ ରୋଗୀ ଓ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ରୋଗୀମାନଙ୍କୁ ଉପଯୁକ୍ତ ସେବା ସହିତ ବ୍ୟବହାର ଦେବାକୁ ଉପସ୍ଥିତ ଉପଖଣ୍ଡ ଚିକିତ୍ସା ଅଧିକାରୀ, ଡାକ୍ତର ଓ ଡାକ୍ତରଖାନା କର୍ମଚାରୀମାନଙ୍କୁ ତାଗିଦ କରିଥିଲେ।

ବିଗତ ଦିନରେ ବିନା ରେଜୁଲେସନରେ କାମରେ ଆସୁଥିବା ମେଡିକାଲର ଗୃହକୁ ପୂର୍ତ୍ତବିଭାଗ ପକ୍ଷରୁ ଭଙ୍ଗାଯାଇ ଠିକାଦାର ପୋଷିବା ପାଇଁ ନୂତନ କୋଠା କରାଯାଇ ସରକାରୀ ଅର୍ଥର ଅପବ୍ୟବହାର କରାଯାଉଥିବାରୁ ବିଧାୟକ ଶ୍ରୀ ପଟ୍ଟଯୋଶୀ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ କରିବା ସହିତ ନିମ୍ନମାନର କାର୍ଯ୍ୟ କରାଗଲେ ପୂର୍ତ୍ତ ବିଭାଗ ଓ ନିର୍ମାଣ କାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଥିଲେ।

ଅନ୍ୟପକ୍ଷରେ ୬ କୋଟି ଟଙ୍କା  ବିନିଯୋଗରେ ପୂର୍ତ୍ତବିଭାଗ ପକ୍ଷରୁ ଡାକ୍ତରଖାନା ପରିସରରେ ପ୍ରସୂତୀ ଏବଂ ଶିଶୁସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି । କିନ୍ତୁ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଅସରାଏ ବର୍ଷା ହେଲେ ମଧ୍ୟ ଏହି ଡାକ୍ତରଖାନା ଭିତରକୁ  ବର୍ଷାଜଳ ବାହାରକୁ ଯିବା ପରିବର୍ତ୍ତେ ଡାକ୍ତରଖାନା ଭିତରେ ଲହଡି ମାରୁଛି ଓ ଏହିଜଳ ବାରଣ୍ଡା ଅଭ୍ୟର୍ଥନା କକ୍ଷ ଓ ଡ୍ରେସିଂଗ ରୁମ ମଧ୍ୟକୁ ପଶିଯାଇ ରୋଗୀ ଏବଂ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ଭୋଗୁଛନ୍ତି। ଏହି କୋଠାଟି ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ଏଠାରେ ଲିଫ୍ଟ ଲାଗିବା ବ୍ୟବସ୍ଥା ମଧ୍ୟ ଅଛି, କିନ୍ତୁ ଉଦଘାଟନର ୫ମାସ ବିତି ଯାଇଥିଲେବି ଏଠାରେ ଲିଫ୍ଟ ଲଗାଯାଇ ପାରିନାହିଁ। ଫଳରେ ଡ୍ୟୁଟି କରୁଥିବା ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ଯେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ହଇରାଣ ହେଉଛନ୍ତି ତାହା ନୁହେଁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ହଇରାଣ ହେଉଥିବା ବିଧାୟକଙ୍କ ନଜରକୁ ଆସିଥିଲା। ଏହି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହିତ ପାଣି ଗଳିବା ସ୍ଥାନର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଓ ତୁରନ୍ତ ଲିଫ୍ଟ କାର୍ଯ୍ୟକାରୀ କରାଇବା ପାଇଁ ପୂର୍ତ୍ତ ବିଭାଗ ଅଧିକାରୀ ମାନଙ୍କୁ ତାଗିତ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ ଯେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ମୋଟ ୪୯ଟି ଡାକ୍ତର ଆବଶ୍ୟକ ଥିବା ବେଳେ ଦୀର୍ଘଦିନରୁ ମାତ୍ର ୧୪ଜଣ କାର୍ଯ୍ୟରତ ଅଛନ୍ତି। ଏପରିକି ଏହି ଡାକ୍ତରମାନଙ୍କ ମଧ୍ୟରୁ କେହି ବିଶେଷଜ୍ଞ ନୁହନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ବହୁ ସମୟରେ ରୋଗୀମାନେ ଜିଲ୍ଲା ତଥା ରାଜ୍ୟ ବାହାର ଡାକ୍ତରଖାନା ଉପରେ ନିର୍ଭର କରି ଅଯଥା ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି। ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବି ପୂରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଶୀ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ଡାକ୍ତରଖାନା ଅଚାନକ ପରିଦର୍ଶନକୁ ସାଧାରଣ ରେ ପ୍ରଶଂସା କରାଯାଉଥିବାବେଳେ ଅସାଧୁ କର୍ମଚାରୀମାନଙ୍କ ଭିତରେ ଛନକା ପଶି ଯାଇଛି। ଏହି ପରିଦର୍ଶନ ସମୟରେ ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଯୁବନେତା ହିମାଂଶୁ ପଣ୍ଡା, ଯୁବ ଆଇନଜୀବୀ ମନୀନ୍ଦ୍ର ଭୂଷଣ ପାତ୍ର, ସରପଞ୍ଚ ବିଭୁଦତ ପ୍ରଧାନୀ, କାଉନସିଲର ଓ ପ୍ରବୀଣ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର