ଆମ୍ବ ଗୋଟାଇବା ପାଇଁ ଯାଇଥିଲେ ବୃଦ୍ଧ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବସନ୍ତପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ବାଙ୍ଗରା ମାଝୀ(୫୭)ଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ବାଙ୍ଗରା ରବିବାର ସନ୍ଧ୍ୟା ସାଢ଼େ ୪ ଘଣ୍ଟା ସମୟରେ ନିଜ ଗାଁ ବସନ୍ତପଡ଼ା ଠାରୁ ପାହାଡ଼ିଆ ଚଲା ରାସ୍ତା ଦୁଇ କିମି ଦୂରରେ ଥିବା ନିକଟସ୍ଥ ଗାଁ ଡେଙ୍ଗସର୍ଗି ନିଜ ଝିଅ ଘରକୁ ଯାଉଥିଲେ। ଯିବା ରାସ୍ତାରେ ଆମ୍ବ ଗଛ ଥିବା ଯୋଗୁଁ ଆମ୍ବ ଗୋଟାଇବା ପାଇଁ ହାତରେ ଏକ ଝୁଲି ମୁଣା ଓ ଟାଙ୍ଗିଆ ଧରିଥିଲେ।

ବାଙ୍ଗରା ରାତି ପର୍ଯ୍ୟନ୍ତ ନିଜ ଘରକୁ ନ ଫେରିବା ଯୋଗୁଁ ସ୍ତ୍ରୀ ଓ ବନ୍ଧୁବାନ୍ଧବ ଲୋକେ ମିଶି ପ୍ରଥମେ ନିଜ ଝିଅ ଘର ଡଙ୍ଗସର୍ଗି ଯାଇ ପଚାରିଥିଲେ। ଏହାପରେ ଖୋଜାଖୋଜି କରିବା ପରେ ଗତ ରବିବାର ରାତ୍ର ୧୦ ଘଣ୍ଟା ସମୟରେ ଗାଁ ଠାରୁ ପ୍ରାୟ ଢେଡ଼ କିମି ପାଦଚଲା ଜଙ୍ଗଲ ରାସ୍ତାର ଡେଙ୍ଗସର୍ଗି ଗାଁ ନିକଟରେ ଥିବା କିଲାମ ଝୁଲି ନିକଟସ୍ଥ ଆମ୍ବ ଗଛ ତଳେ ବାଙ୍ଗରାଙ୍କୁ ହାତୀ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ। ଗଛ ତଳେ ବାଙ୍ଗରା ପିନ୍ଧିଥିବା ଲୁଙ୍ଗି, ଗାମୁଛା, ଧରିଥିବା ଝୁଲି ମୁଣା ଓ ଟାଙ୍ଗିଆ ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ମଳ ଦେଖିବାକୁ ମିଳିଛି। ବାଙ୍ଗରାଙ୍କୁ ହାତୀ ଘୋଷାରି ଘୋଷାରି ମାଡି ଚକଟି କେଉଁଠି ହାତ, କେଉଁଠି ଗୋଡ଼, କେଉଁଠି ପେଟ ପଡ଼ିଥିବା ବେଳେ ଶରୀରର ବିଭିନ୍ନ ଅଂଶ ପ୍ରାୟ ୩ ଶହ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି।

ପରିବାର ଲୋକେ ଲାଞ୍ଜିଗଡ଼ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଆଜିକୁ ପ୍ରାୟ ଢେଡ଼ ମାସ ହେଲା ଏକୁଟିଆ ଦନ୍ତାହାତୀ ନିକଟସ୍ଥ ନିୟମଗିରି ପାହାଡ଼ରେ ରହିଥିବା ବେଳେ ବସନ୍ତପଡ଼ା,ଡେଙ୍ଗସର୍ଗି, କଂସାରି ଗାଁ ଅଞ୍ଚଳରେ ଘୁରି ବୁଲୁଛି। ଲୋକେ ସନ୍ଧ୍ୟା ହେଲେ ଭୟଭୀତ ହୋଇ ପଡୁଥିବା ବେଳେ କାମ କରିବା ପାଇଁ ନିଜ ବାଡ଼ ବଗିଚା ଯାଇ ପାରୁ ନାହାଁନ୍ତି। ଗତ ରାତି ମଧ୍ୟ ଦନ୍ତା ହାତୀଟି ଡେଙ୍ଗସର୍ଗି ଗାଁ ଭିତରକୁ ପଶି ଆସିଥିବା ବେଳେ ଲାଇଟ ମାରିଲି ନିଜ ଆଡକୁ ଗୋଡ଼ାଇ ଆସୁଛି ବୋଲି ବନ ବିଭାଗ ଏଲିଫେଣ୍ଟ ସ୍କୁଆଡ଼ ପିଲାମାନେ ପ୍ରକାଶ କରିଛନ୍ତି। ଗତ ୨୦୨୧ ଜୁନ ମାସରେ ଡେଙ୍ଗସର୍ଗି ଗାଁର ରାଇ ମାଝୀ ସ୍ଵଚ୍ଛ ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗର ରେଞ୍ଜର କିମ୍ବା କୌଣସି ବଡ଼ ଅଧିକାରୀ ପହଞ୍ଚି ନାହାନ୍ତି। କେବଳ ଏଲିଫେଣ୍ଟ ସ୍କୁଆଡ଼ ପିଲା ଘଟଣା ସ୍ଥଳରେ ଅଛନ୍ତି। ବନ ବିଭାଗର ଖାମଖିଆଳି ମନଭାବ ଯୋଗୁଁ କୌଣସି ଉଚିତ ପଦକ୍ଷେପ ନେଉନାହାନ୍ତି, ଯାହା ଫଳରେ ଢ଼େଡ଼ ବର୍ଷ ମଧ୍ୟରେ ଦୁଇ ଆଦିବାସୀଙ୍କର ଜୀବନ ଗଲା ବୋଲି ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର