ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଏହାକୁ ନେଇ ଅଞ୍ଚଳବାସୀ ଖୁବ୍ ଚିନ୍ତାରେ ଅଛନ୍ତି। ହାତୀ ଭୟରେ ଗତ ୯ ଦିନ ହେଲା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତରେ ରହୁଥିବା ଗ୍ରାମବାସୀ ରାତିରେ ଶୋଇପାରୁନାହାନ୍ତି। ସେମାନେ ରାତି ଅନିଦ୍ରା ହୋଇ ନିଜ ନିଜ ଘରକୁ ଜଗୁଛନ୍ତି। କିଛି ଦିନ ତଳେ ହାତୀମାନେ ଗାଁରେ ଥିବା ଏକ ପାଣିଟାଙ୍କିକୁ ଭାଙ୍ଗି ଦେଇଥିଲେ। ସନ୍ଧ୍ୟା ହେବା ମାତ୍ରେ ହାତୀପଲ ଜଙ୍ଗଲ ଛାଡ଼ି ଗାଁମୁହାଁ ହେଉଥିବାର ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ, ଛତ୍ରପୁର ପଞ୍ଚାୟତ ବାରବୁଲି ଗାଁରେ ପଶି ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା(ଓପିଲିପି) ପକ୍ଷରୁ ନିର୍ମାଣ କରା ଯାଇଥିବା ପାଣି ଟାଙ୍କିକୁ ହାତୀପଲ ଭାଙ୍ଗି ଦେଇଛନ୍ତି। ଏହାପରେ ଗାଁ ନିକଟସ୍ଥ ଜମିରେ ଜନ ସାହାଯ୍ୟ ସଂସ୍ଥା ଦ୍ବାରା ପ୍ରସ୍ତୁତ କରାଯାଇଥିବା ଟବେରୀ ଚାଷ ପ୍ରଣାଳୀକୁ ମଧ୍ୟ ମାଡି ଚକଟି ପାଇପ ଲାଇନ ଭାଙ୍ଗି ଦେଇଛନ୍ତି। ହାତୀର ଭୀଷଣ ଗର୍ଜନ ଶୁଣି ବାରବୁଲି ଗ୍ରାମର କର୍ଣ୍ଣ ମାଝୀ, ଗୌରାଙ୍ଗ ମାଝୀ, ବନ ମାଝୀ, ରାଇ ମାଝୀ, ସାନ ମାଝୀ, ପୂର୍ଣ୍ଣ ମାଝୀ ଓ ରାଜେଶ ମାଝୀ ଠେଙ୍ଗାବାଡି,ବାଜାବାଜଣା ଧରି ରାତିସାରା ଗାଁ ଜଗିରହିଥିବା ପ୍ରକାଶ କରିଛନ୍ତି। ଏହି ହାତୀମାନେ ୯ ଦିନ ହେଲା ଅଞ୍ଚଳରେ ତାଣ୍ଡବ ରଚିଥିବା ବେଳେ ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପାଖରେ କୌଣସି ବିକଳ୍ପ ନାହିଁ।
ଗତ ଡିସେମ୍ବର ୨୮ ତାରିଖ ବିଳମ୍ବିତ ରାତିରେ ଏକ ୮ ଟିକିଆ ହାତୀପଲ ଲାଞ୍ଜିଗଡ଼ ବନ ବିଭାଗର ଅଧୀନରେ ଥିବା ଝଜୁର ପଦର ଗାଁରେ ପଶି ଦୁଇଟି ଘର ଭାଙ୍ଗିବା ସହ ଘରେ ଥିବା କପା, ଧାନ, ଚାଉଳ ଓ ଆସବାବପତ୍ର ନଷ୍ଟ କରିଥିଲେ। ଏଣେ ଗତ ଡିସେମ୍ବର ୨୭ ତାରିଖରେ ନିକଟସ୍ଥ ଗାଁ ଲେପଟାଗୁଡ଼ାରେ ଏହି ହାତୀଙ୍କ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହାତୀମାନେ ୩୧ ତାରିଖ ଦିନ ଲାଞ୍ଜିଗଡ଼ ବସ୍ତିର ଶାନ୍ତିନଗର ଓ କଲୋନି ପଡ଼ାରେ ବିଭିନ୍ନ କ୍ଷୟକ୍ଷତି କରି ପଳାଇ ଯିବା ସମୟରେ ରାମ ଘଡେ଼ଇଙ୍କ ଘରକୁ ଭାଙ୍ଗିବା ପରେ ସାନେ ହେର୍ନାଙ୍କ ଧାନକୁ ମାଡ଼ି ଚକଟି ନଷ୍ଟ କରିଥିଲେ। ହାତୀ ଭୟରେ ଲୋକେ ଭୟଭୀତ। ଏହି କାରଣରୁ ଲାଞ୍ଜିଗଡ଼-ବନ୍ଧପାରି ମୁଖ୍ୟ ରାସ୍ତାରେ ଆଜିକୁ ୯ ଦିନ ହେଲା ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।