ନିଶା ଉଜାଡ଼ିଦେଲା ପରିବାର: ପତ୍ନୀ ହତ୍ୟା ଅଭିଯୋଗରେ ସ୍ବାମୀ ଜେଲ୍‌ରେ, ଭୋକ ଉପାସରେ ୫ ପୁଅଝିଅ

ଲାଞ୍ଜିଗଡ଼: ନିଶା ଉଜାଡ଼ିଦେଲା ଖୁସିବାସିର ପରିବାର। ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ବାମୀ ଜେଲ୍‌ରେ। ​ଘରେ ଭୋକ ଉପାସରେ ପଡ଼ି ରହିଛନ୍ତି ୫ ପୁଅଝିଅ। ଏମିତି ଏକ ଅଭାବନୀୟ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତର କଂସାରୀ ଗାଁରେ ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତପଡ଼ା ପଞ୍ଚାୟତ କଂସାରୀ ଗାଁରେ ରାଜେଶ ମାଝୀଙ୍କ ଘର। ସ୍ତ୍ରୀ ମାଳନ୍ତି, ୪ ଝିଅ ଓ ଗୋଟିଏ ଦେଢ଼ବର୍ଷର ପୁଅକୁ ନେଇ ଖୁସିରେ ଚଳୁଥିଲା ସଂସାର। ବଡ଼ ଝିଅ ଲକ୍ଷ୍ମୀପ୍ରିୟା (୧୦ ବର୍ଷ) ଲାଞ୍ଜିଗଡ଼ ବ୍ଲକ୍‌ ବାତେଲିମା ପଞ୍ଚାୟତର ବାଣୀପଙ୍ଗା ଆଦିବାସୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ରହି ପଞ୍ଚମ ଶ୍ରେଣୀରେ ପଢୁଥିଲା। ଦ୍ୱିତୀୟ ଝିଅ ସନ୍ଧ୍ୟାରାଣୀ (୯ ବର୍ଷ) ଛତ୍ରପୁର ପଞ୍ଚାୟତର ଆଦିବାସୀ ହଷ୍ଟେଲରେ ରହି ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ତୃତୀୟ ଝିଅ ବିଜୟଲଷ୍ମୀ (୪ ବର୍ଷ) ଓ ଚତୁର୍ଥ ଝିଅ ସରୋଜିନୀ (୩ ବର୍ଷ) ଗାଁ ଅଙ୍ଗନବାଡ଼ି କେନ୍ଦ୍ର ଓ ପୁଅ ଅମିତ ବଚନ (ଦେଢ଼ବର୍ଷ) ଗାଁରେ ଥିବା ଶିଶୁ ଗୃହକୁ ଯାଉଥିଲା।

ଗାଁ ନିକଟରେ ଥିବା ଏକ କମ୍ପାନିରେ କାମ କରି ରାଜେଶ ପରିବାର ପ୍ରତିପୋଷଣ କରୁଥିଲେ। ତେବେ କିଛି ମାସ ହେବ ଠିକ୍‌ ଭାବେ କାମ ନଯାଇ ରାଜେଶ ମଦ ପିଇ ବୁଲୁଥିଲା। ଦଶହରା ଛୁଟି ଯୋଗୁଁ ଝିଅମାନେ ହଷ୍ଟେଲରୁ ଘରକୁ ଆସିଥିଲେ। ପୁଲିସର ସୂଚନା ଅନୁସାରେ ପ୍ରାୟ ଦୁଇ ସପ୍ତାହ ତଳେ ମାଳନ୍ତି ସ୍ବାମୀ ରାଜେଶଙ୍କୁ ତାଙ୍କ ସହିତ ଜଙ୍ଗଲକୁ କାଠ ଆଣି ଯିବାକୁ କହିଥିଲେ। କାଠ ଆଣି ବିକ୍ରି କଲେ ଘର ଚଳିବ ବୋଲି କରିବାରୁ ରାଜେଶଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜେଶ ମାଳନ୍ତିଙ୍କୁ ପ୍ରବଳ ମାଡ଼ ମାରିବା ସହ ତଣ୍ଟିକୁ ଚିପି ଦେଇଥିଲେ। ମାଳନ୍ତିଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଘରେ ରହିଥିବା ବେଳେ ସ୍ୱାମୀ ୪ ଦିନ କାଳ କୌଣସି ଡାକ୍ତରଖାନାକୁ ନେଇନଥିଲା। ଏହା ଜାଣିବା ପରେ ମାଳନ୍ତିଙ୍କ ବାଘଘର ଲୋକ ଆସି ତାଙ୍କୁ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖରେ ମାଳନ୍ତିଙ୍କ ମୃତ୍ୟୁ ହେଇଗଲା। ଶବ ବ୍ୟବଚ୍ଛେଦ ପରେ ବାପଘର ଲୋକ ଶବକୁ ନେଇ ତାଙ୍କ ଗାଁ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ ଶିବ ପଦର ପଞ୍ଚାୟତ ପାଣିମୁଣ୍ଡା ଗାଁରେ ଶେଷକୃତ୍ୟ କରିଥିଲେ। ମାଳନ୍ତିଙ୍କୁ ହତ୍ୟା କରାଯାଇଥିବା ନେି ଲାଞ୍ଜିଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣାର ତଦନ୍ତ କରି ୨୯ ତାରିଖ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।


ଅନ୍ୟ ପକ୍ଷରେ ୫ ଜଣ ସନ୍ତାନ ନିଜ ମା’ଙ୍କ ମୃତଦେହକୁ ମଧ୍ୟ ଦେଖିପାରିଲେ ନାହିଁ। ଗତ ୧ ତାରିଖରୁ ସ୍କୁଲ ଖୋଲିଥିଲେ ବି ଲକ୍ଷ୍ମୀପ୍ରିୟା ଓ ସନ୍ଧ୍ୟାରାଣୀ ମା’ଙ୍କ ମୃତ୍ୟୁ ଓ ବାପା ଜେଲ ଯିବା ପରେ ଛୋଟ ୨ ଭଉଣୀ ଓ ସାନ ଭାଇକୁ ଛାଡ଼ି ହଷ୍ଟେଲକୁ ଫେରି ପାରୁନାହାନ୍ତି। ଘରେ ଭୋକ ଉପାସରେ ପଡ଼ି ରହିଛନ୍ତି। ତୁରନ୍ତ ପ୍ରଶାସନ ଏହି ୫ ଭାଇଭଉଣୀକୁ ଥଇଥାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର