ଖୋଲା ଆକାଶ ତଳେ ଜୀବନଯାପନ କରୁଛନ୍ତି ଦୁର୍ଲଭ ଓ ତାଙ୍କ ପରିବାର; ସରକାରୀ ସୁବିଧାରୁ ବଞ୍ଚିତ ରହିଛନ୍ତି ପରିବାରର ଲୋକେ

କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍‌ ମଣ୍ଡଳ ମଣ୍ଡି ଠାରେ ଖୋଲା ଆକାଶ ତଳେ ଜୀବନଯାପନ କରୁଛନ୍ତି ଏକ ଯାଯାବର ପରିବାର। ପରିବାର ସଦସ୍ୟ ମୋଟ୍‌ ୯ ଜଣ ରହିଛନ୍ତି। ପରିବାର ମୁଖ୍ୟ ଦୁର୍ଲଭ ନାଗ (୪୦)ଙ୍କ ସହ ତାଙ୍କ ସ୍ତ୍ରୀ ଅହଲ୍ୟା ନାଗ (୩୭)।  ୧୦ ବର୍ଷରୁ କମ୍‌ ବୟସର ୬ ପୁଅ ଝିଅ ଏବଂ ୮୦ ବର୍ଷ ବୟସ୍କା ଜଣେ ବୃଦ୍ଧା। ଖୋଲା ଜାଗାରେ କିଛି ଫଟା କପଡ଼ା ଘୋଡ଼ାଇ ରହିବା ବ୍ୟବସ୍ଥା କରିଛନ୍ତି।

ସ୍ୱାମୀ- ସ୍ତ୍ରୀଙ୍କ ରୋଜଗାର ଉପରେ ପୂରା ପରିବାର ନିର୍ଭର କରିଥାଏ। ଦୁର୍ଲଭ ନିଜେ ଜଣେ ଭିନ୍ନକ୍ଷମ। ତଥାପି ନିଜ କୌଶଳରେ ଟିଣକୁ କାଟି ଘରୋଇ ବ୍ୟବହାରରେ ଆସୁଥିବା ଡବା, ମାଣ, ଗିଧା ଆଦି ସାମଗ୍ରୀ ତିଆରି କରୁଛନ୍ତି। ଅହଲ୍ୟା ଏହି ପ୍ରସ୍ତୁତ ସାମଗ୍ରୀକୁ ପୁଅମାନଙ୍କୁ ସାଙ୍ଗରେ ଧରି ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି। ଅଧା ସମୟ ଚୁଲି ଜଳୁଛି ତ କେବେ ସମ୍ପୂର୍ଣ୍ଣ ବନ୍ଦ ମଧ୍ୟ ରହିଥାଏ। ପଖାଳ ଲୁଣରେ କେବେ କେବେ ପେଟ ଭରି ନିଜ ଜୀବିକା କରିଚାଲିଛନ୍ତି। ହେଲେ ବର୍ତମାନ କରୋନା ପରିସ୍ଥିତିରେ ତାଙ୍କ ବେପାର ମଧ୍ୟ ଠିକ୍‌ ଭାବେ ହେଉ ନଥିବା ଅହଲ୍ୟା କୁହିଛନ୍ତି।

ସେମାନଙ୍କ କହିବା ଅନୁଯାୟୀ, ଗୋଲାମୁଣ୍ଡା ବ୍ଲକ୍‌ ଫରଙ୍ଗ ଗ୍ରାମ ବାସିନ୍ଦା। ନିଜ ଗାଁରେ ଜାଗା ନାହିଁ କି ଘର ନାହିଁ। ଫଳରେ ବହୁ ବର୍ଷରୁ ବାହାରେ ରହି ଆସୁଛନ୍ତି। ଆଜି ପର୍ୟ୍ୟନ୍ତ ପରିବାରର କାହାରି ହେଲେ ଭୋଟର ପରିଚୟ ପତ୍ର କି ଆଧାର କାର୍ଡ ହୋଇ ପାରିନାହିଁ। ନିଜର ରାସନ କାର୍ଡ ବି ନାହିଁ। ଦୁର୍ଲଭ ଭିନ୍ନକ୍ଷମ ହୋଇ ମଧ୍ୟ ପ୍ରମାଣପତ୍ର ନଥିବାରୁ ଭତ୍ତାରୁ ବଞ୍ଚିତ। ସେହିପରି ତାଙ୍କ ବୃଦ୍ଧା ମା’ ବି ଭତ୍ତା ପାଇ ପାରୁ ନାହାଁନ୍ତି। କୌଣସି ପ୍ରକାରର ସରକାରୀ ଯୋଜନା ଏହି ପରିବାର ପାଖରେ ପହଞ୍ଚି ପାରି ନାହିଁ। ୬ ପୁଅ ଝିଅଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇ ଯାଉଛି। ଜିଲ୍ଲା ପ୍ରଶାସନ ଏହି ଅସହାୟ ପରିବାରକୁ ଥଇଥାନ ବ୍ୟବସ୍ଥା କରିବା ସହ ପୁଅ ଝିଅଙ୍କ ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର