ଧାରଣାରେ ଫାର୍ମାସିଷ୍ଟ, ରୋଗୀସେବା ବେହାଲ

ଜିଲ୍ଲାର ୧୦୮ ଫାର୍ମାସିଷ୍ଟଙ୍କ ସମୂହ ଛୁଟି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟରତ ଫାର୍ମାସିଷ୍ଟମାନେ ଭୁବନେଶ୍ୱରରେ ଚାଲିଥିବା ଧାରଣାରେ ଯୋଗ ଦେଇଥିବା ବେଳେ ରୋଗୀସେବା ଏବେ ବେହାଲ ହୋଇପଡ଼ିଛି। ଜିଲ୍ଲାର ବହୁ ଡାକ୍ତରଖାନାରେ ଡାକ୍ତର ନଥିବାବେଳେ ଫାର୍ମାସିଷ୍ଟଙ୍କ ଭରସାରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି। ବର୍ତ୍ତମାନ ଏମାନଙ୍କ ଧରଣା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜିଲ୍ଲାରେ ଥିବା ୧୦୮ ଜଣ ଫାର୍ମାସିଷ୍ଟଙ୍କ ମଧ୍ୟରୁ ୨ ଜଣଙ୍କୁ ଡେପୁଟେସନ ପଠାଯାଇଛି। ସେହିଭଳି ଜଣେ ମେଡିକାଲ ଛୁଟିରେ ଅଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୮୦ ଜଣ ଡାକ୍ତର ପଦବି ଖାଲିଥିବା ବେଳେ ୧୦୫ ଜଣ ଫାର୍ମାସିଷ୍ଟ ମାନେ ରୋଗୀମାନଙ୍କ  ଚିକିତ୍ସା ନିମନ୍ତେ ନିୟୋଜିତ ଥିଲେ। ବର୍ତ୍ତମାନ ଏମାନଙ୍କ ବଦଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଡିସପେନସେରି ଦାୟିତ୍ୱ ଦିଆଯାଇଛି। ଜବଚାର୍ଟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଦାୟିତ୍ୱ ଗ୍ରାମାଞ୍ଚଳରେ ଥିବା ବେଳେ କିଭଳି ସେମାନଙ୍କୁ ଜବଚାର୍ଟରୁ ଉପେକ୍ଷା କରି ସେମାନଙ୍କୁ ଡିସପେନସେରି ନିୟୋଜିତ କରିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ହେଉଥିବା ଭିଏଚଏନଡି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀମାନେ ନିୟୋଜିତ ଥିବା ବେଳେ ବର୍ତ୍ତମାନ ଏହି ନୂଆ ଜବଚାର୍ଟ ଯୋଗୁଁ ଏହି କାର୍ଯ୍ୟକ୍ରମରେ ବାଧା ଉପୁଜିଛି। ଏନେଇ ସିଡିଏମଓ ସରୋଜ କୁମାର ତିହାଡିଙ୍କୁ ପଚାରିବାରୁ ଯେଉଁ ପୁରୁଷ ସ୍ୱାସ୍ଥ୍ୟକର୍ମୀ ବିଫାର୍ମ କୋର୍ସ କରିଛନ୍ତି ସେମାନଙ୍କୁ ନିୟୋଜିତ କରାଯାଇଛି। ସଦର ମୁଖ୍ୟ ଡାକ୍ତରଖାନାରେ ୧୧ଜଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ମଧ୍ୟରେ ସେମାନଙ୍କୁ ସାମୟିକ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର ଫାର୍ମାସିଷ୍ଟଙ୍କ ଧାରଣା ନେଇ ଏସମା ଲାଗୁ କରିଛନ୍ତି। ଏନେଇ ଜିଲ୍ଲାର ସଂପୃକ୍ତ ଫାର୍ମାସିଷ୍ଟଙ୍କୁ ଜଣାଇ ଦେଇଛୁ ବୋଲି କହିଥିଲେ।

ଧର୍ମଗଡ଼: ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ଆହ୍ଵାନ କ୍ରମେ ବୁଧବାରଠାରୁ ଫାର୍ମାସିଷ୍ଟମାନେ ଧାରଣାରେ ବସିଛନ୍ତି। ଫଳରେ ଗୋଲାମୁଣ୍ଡା ବ୍ଲକ ଉଛୁଲା ଓ ବୋର୍ଡି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଠପ୍‌ ହୋଇ ଯାଇଛି। ଗୋଲାମୁଣ୍ଡା ବ୍ଲକର ଉଛୁଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ବର୍ଷ ହେଲା ଡାକ୍ତର ଓ ଷ୍ଟାଫ୍‌ ନର୍ସ ନାହାନ୍ତି। ଜଣେ ଫାର୍ମାସିଷ୍ଟ ଓ ୨ ଜଣ ଆଟେଣ୍ଡାଣ୍ଟଙ୍କ ଭରସାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଥିଲା। ମାତ୍ର ଫାର୍ମାସିଷ୍ଟ ଜଣକ ଆନ୍ଦୋଳନରେ ଯୋଗ ଦେଇଥିବାରୁ ଏଠାରେ ସ୍ୱାସ୍ଥ୍ୟ ସେବା ଠପ୍‌ ହୋଇଯାଇଛି। ବୋର୍ଡି ଡାକ୍ତରଖାନାରେ ବି ସେହି ସମସ୍ୟା ଦେଖା ଦେଇଛି। ଗୋଲାମୁଣ୍ଡା ବ୍ଲକ୍‌ର ୨ଟି ସ୍ୱାସ୍ଥ୍ୟ  କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଠପ୍‌ ହୋଇପଡ଼ିଥିବାରୁ ଏ ଅଞ୍ଚଳର ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

 

ମ.ରାମପୁର: ଓଡ଼ିଶା ଫାର୍ମାସିଷ୍ଟ ସଂଘ ତରଫରୁ ୫ ଦଫା ଦାବିରେ ଆନ୍ଦୋଳନ ଜାରି ରହିଛି। ଫଳରେ ମ.ରାମପୁର ବ୍ଲକରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁଁ ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି।

କର୍ଲାମୁଣ୍ଡା: ରିଷିଡା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଟ୍ରେନିଂରେ ଯାଇଥିବା ବେଳେ ଫାର୍ମାସିଷ୍ଟ ଧର୍ମଘଟରେ ସାମିଲ ହୋଇଥିବାରୁ ସେଠାରେ ରୋଗୀ ସେବାର ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ପ୍ରସୂତିଙ୍କ ପାଇଁ ନାହିଁ ନଥିବା ସମସ୍ୟା ଦେଖା ଦେଇଛି। ସେହିପରି କର୍ଲାମୁଣ୍ଡା ସିଏଚ୍‌ସି, ରେଗଡ଼ା ପିଏଚ୍‌ସିର ଫାର୍ମାସିଷ୍ଟ ମଧ୍ୟ ଧର୍ମଘଟରେ ଥିବା ବେଳେ ଅସୁବିଧା ଦେଖାଦେଇଛି। ଡାକ୍ତର ଟ୍ରେନିଂରୁ ନଫେରିବା ଯାଏ ଓ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ନହେବାଯାଏ ଏଠାରେ ଜଣେ ଡାକ୍ତରଙ୍କୁ ଡେପୁଟେସନ୍‌ରେ ନିଯୁକ୍ତ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର