ଲାଞ୍ଜିଗଡ଼ରେ ଠାକୁରାଣୀଙ୍କ ଘଣ୍ଟଯାତ୍ର ଉଦଯାପିତ

ଲାଞ୍ଜିଗଡ଼: ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଲା ପରେ ସୋମବାର ଆଜି ସକାଳେ ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି ଲାଞ୍ଜିଗଡ଼ ଇଷ୍ଟଦେବୀ ମା’ ଠାକୁରାଣୀ। ପୂଜକ ମା’ ଭକ୍ତଙ୍କ ପିଠିରେ ଆସ୍ଥାନକୁ ନେଇଥିଲେ। ଦ୍ୱିତୀୟା ତିଥିରୁ ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ର ଆରମ୍ଭ ହୋଇଥିଲା। ଲାଞ୍ଜିଗଡ଼ ରାଜ ଉଆସରୁ ମା’ଙ୍କ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆହ୍ୱାନ କରିଥିଲେ। ପରେ ମା’ଙ୍କ ମୁଖ୍ୟ ପୂଜକ ଅଭିମନ୍ୟୁ ପାତ୍ର ଓ ଜମ୍ବେଶ୍ୱର ପୂଜାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ବାହୁକ ହରିଶ୍ଚନ୍ଦ୍ର ମୁଣ୍ଡଛିନା ମା’ ଙ୍କ ଛତର ଧରି ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ମା’ଙ୍କୁ ଭକ୍ତ ଦର୍ଶନ କରିଥିଲେ।

ଦୀର୍ଘ ୮ ଦିନ କାଳ ବିଭିନ୍ନ ଗାଁକୁ ଯାଇ ଭକ୍ତମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇଥିଲେ। ପୁଣି ସେହିଦିନ ସନ୍ଧ୍ୟାରେ ଲାଞ୍ଜିଗଡ଼ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ନବମ ଦିବସ ରାତିସାରା ଲାଞ୍ଜିଗଡ଼ ସହରର ସମସ୍ତ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁଆ ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ।  ଉଦଯାପନୀ ଦିବସରେ ମା’ଙ୍କ ସେବକ ପୂଜାରୀପଡ଼ାରୁ ଏକ ବିରାଟ ଆଡୁଆଳରେ ମା’ ଙ୍କୁ ମନ୍ଦିରକୁ ଆଣିଥିଲେ। ଘଣ୍ଟ, ଶଙ୍ଖ, ଖୋଳତାଳ ବାଦ୍ୟରେ ମା’ଙ୍କୁ ସ୍ୱାଗତ କରି ଚିତା ଆଙ୍କି ନିଜ ନିଜ ଦ୍ବାର ସାମ୍ନାରେ ଭୋଗ ଅର୍ପଣ କରିଥିଲେ ପୂଜାରୀପଡ଼ାବାସୀ। ଯେଉଁମାନେ ମାନସିକ କରିଥିଲେ ସେମାନେ ବୁଡା, କୁକୁଡ଼ା, ପାରା ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା।

୯ ଦିନ ଧରି ଏହି ଘଣ୍ଟଯାତ୍ର ମହାଆଡ଼ମ୍ବର ସହିତ ପାଳନ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ୯ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ମା’ ଠାକୁରାଣୀ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର