ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭବାନୀପାଟଣା ସହର ନିକଟ ସରକାରୀ ଇଞ୍ଜିନିୟରିଂ କଲେଜ ଠାରେ ଉଭୟ ଷ୍ଟ୍ରଙ୍ଗରୁମ ଓ ଗଣତି କେନ୍ଦ୍ର ଗୋଟିଏ ସ୍ଥାନରେ ଅନୁଷ୍ଠିତ ହେବ। ଏ ନେଇ ସରକାରୀ ଇଂଜିନିୟରିଂ କଲେଜ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମ ପର୍ଯ୍ୟାୟ ଆସନ୍ତା ୧୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ପୂର୍ବରୁ ଧର୍ମଗଡ଼ ସିଟି ସ୍କୁଲ ଠାରେ ଜୁନାଗଡ ଓ ଧର୍ମଗଡ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ଲୋକସଭା ନିର୍ବାଚନମଣ୍ଡଳୀର ଇଭିଏମ ଷ୍ଟ୍ରଙ୍ଗରୁମ ଓ ଗଣତି କେନ୍ଦ୍ର ଖୋଲା ଯାଉଥିଲା। ସେହିଭଳି ଭବାନୀପାଟଣା ସରକାରୀ ସ୍ବୟଂଶାସିତ କଲେଜ ଠାରେ ଭବାନୀପାଟଣା ସଦର, ଲାଞ୍ଜିଗଡ ଓ ନର୍ଲା ବିଧାନସଭା ତଥା ଲୋକସଭା ଆସନର ଇଭିଏମ ଷ୍ଟ୍ରଙ୍ଗରୁମ ଓ ଗଣତି କେନ୍ଦ୍ର କରାଯାଉଥିଲା। ପ୍ରଥମ ଥର ପାଇଁ ଜିଲ୍ଲାରେ ଗୋଟିଏ କେନ୍ଦ୍ରରେ ଉଭୟ ଷ୍ଟ୍ରଙ୍ଗରୁମ ଓ ଗଣତି କେନ୍ଦ୍ର ଭବାନୀପାଟଣା ସହର ନିକଟ ବାନ୍ଦୋପଲା ସରକାରୀ ଇଂଞ୍ଜିନିୟରିଂ କଲେଜ ଠାରେ ସ୍ଥାପନ କରାଯାଇଛି। ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ନେତୃତ୍ବରେ ଏହି କେନ୍ଦ୍ରର ତଦାରଖ କରାଯାଉଛି। ପରିସରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା, କଡ଼ା ସୁରକ୍ଷା ବ୍ୟବସ୍ଥା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଧର୍ମଗଡ ଓ ଜୁନାଗଡ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ପ୍ରିଜାଇଡିଂ, ପୋଲିଂ ଅଫିସର ଓ କର୍ମଚାରୀମାନେ ଏହି କଲେଜକୁ ଆସି ଭିଭିପାଟ ମେସିନ ଓ ଆନୁଷଙ୍ଗିକ ସାମଗ୍ରୀ ନେବେ। ପୂର୍ବରୁ କେବଳ ଭବାନୀପାଟଣା, ନର୍ଲା ଓ ଲାଞ୍ଜିଗଡ ବିଧାନସଭା ଓ ଲୋକସଭା ଆସନ ପାଇଁ ଭବାନୀପାଟଣା କେନ୍ଦ୍ରକୁ ଆସୁଥିଲେ। ଗୋଟିଏ ସ୍ଥାନରେ ଗଣତି ଓ ଷ୍ଟ୍ରଙ୍ଗରୁମ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଓ ତଦାରଖ ପାଇଁ ସୁବିଧା ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା ପ୍ରଥମ ଥର ପାଇଁ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ୧୪୦୫ଟି ବୁଥ ଥିବା ବେଳେ ଭବାନୀପାଟଣା ସଦର ବିଧାନସଭା ଆସନ ପାଇଁ ୨୬୮ଟି ବୁଥ, ଲାଞ୍ଜଗିଡ ପାଇଁ ୨୯୩ଟି ବୁଥ, ନର୍ଲା ପାଇଁ ୨୭୯ଟି ବୁଥ, ଜୁନାଗଡ ପାଇଁ ୭୭୨ ଟି ବୁଥ, ଧର୍ମଗଡ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୨୯୩ଟି ବୁଥ ରହିଛି। ଏହି ସବୁ ବୁଥର ଭିଭିପାଟ ଓ ବଳକା ରିଜର୍ଭ ଭିଭିପାଟ ତଥା ନିର୍ବାଚନ ସାମଗ୍ରୀ ମହଜୁଦ ରଖାଯାଇଛି। ଏଥି ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ପରିସରକୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା ଏହାର ତଦାରଖ ବାରମ୍ବାର କରାଯାଉଛି।
ସରକାରୀ ଇଞ୍ଜିନିୟରିଂ କଲେଜର ନୂଆ ରେକର୍ଡ:ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରେ ଷ୍ଟ୍ରଙ୍ଗରୁମ ଓ ଗଣତି
/sambad/media/post_attachments/wp-content/uploads/2019/04/kld-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)