କୂଳ ଖାଉଛି ହାତୀ ନଦୀ, ଲୋକେ ଆତଙ୍କିତ

ଚିଲିଗୁଡା: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଲିଗୁଡା, କୁଟେନ ଗାଁ ହାତୀ ନଦୀ କୂଳରେ ଅବସ୍ଥିତ। ପ୍ରତିବର୍ଷ ବନ୍ୟା ଆସିଲେ ନଦୀ କୂଳରେ ଥିବା ଜମି ଗୁଡିକ ଖାଇ ଯାଉଛି। ଚିଲିଗୁଡା ଡଙ୍ଗା ଘାଟ ଠାରୁ କୁଟେନ ଗାଁ ପର୍ଯ୍ୟନ୍ତ ଦିନକୁ ଦିନ ପ୍ରାୟ ୧୦ରୁ୨୦ ମିଟର ଘାଇ ହୋଇ ନଦୀରେ ମିଶି ଗଲାଣି। ବର୍ତମାନ ଚିଲିଗୁଡା କୁଟେନ ଗାଁ ରାସ୍ତାକୁ ହାତୀ ନଦୀ ଛୁଇଁବାକୁ ଆଉ ୩ ୦ମିଟର ବାକି ରହିଛି। ଏପଟେ ହାତୀ ନଦୀ ରାସ୍ତାକୁ ଖାଇବାକୁ ଯାଉଥିବା ବେଳେ ଚାଷୀମାନଙ୍କର ମୂଲ୍ୟବାନ ଜମି ଗୁଡିକୁ ନଦୀ ଗର୍ଭରେ ମିଶୁଛି। ଫଳରେ ଏବେ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀକୂଳରେ ଆଡ଼ିବନ୍ଦ ନିର୍ମାଣ ଓ ବୃକ୍ଷ ରୋପଣ କରାଗଲେ ବହୁ ଚାଷ ଜମି ନଷ୍ଟ ହେବାରୁ ବଞ୍ଚିତ ହୋଇପାରନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଚାଷୀମାନେ ନଦୀକୂଳରେ ଥିବା ଜମିଗୁଡିକରେ ପନିପରିବା ସହ ଚିନାବାଦାମ, କୋଳଥ, ବିରି ଓ ମୁଗ ଚାଷ କରି ନିଜର ଜୀବିକା ନିର୍ବାହ ବର୍ତ୍ତମାନ ଜମି କ୍ଷୟ ହେଉ ଥିବାରୁ ଚାଷୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ବର୍ତ୍ତମାନ କେବଳ କୁଟେନ ଗାଁରେ ୧୨୦ ମିଟର ଘାଇରେ ଆଡ଼ିବନ୍ଦ ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅଧିକ ପରିମାଣରେ ଜମି ନଷ୍ଟ ହେଉଥିବା ଚିଲିଗୁଡା ଡଙ୍ଗା ଘାଟରୁ କୁଟେନ ଗାଁ ସାଇପନ ପର୍ଯ୍ୟନ୍ତ ଆ‌ଡ଼ିବନ୍ଧ ନିର୍ମାଣ ହୋଇପାରି ନାହିଁ। ବିଶେଷ କରି ଚିଲିଗୁଡା ଗ୍ରାମର ଭାରତ ପଟେଲ,ମାଧବ ପଟେଲ, ଦିବାଲ ପଟେଲ, ବୈକୁଣ୍ଠ ନାଏକ, ଉମାଶଙ୍କର ନାଏକ, ଶ୍ରଦ୍ଧାକର ନାଏକ, ଋଷୁ ପଟେଲ, ନିଧି ମାଝୀ, କଳ୍ପବଟ ପଟେଲ, ବାଞ୍ଛାନିଧି ପଟେଲ, ଇନ୍ଦ୍ରଜିତ ନାଏକ, ଧନୁରମ ପଟେଲ, ନନ୍ଦିକୃଷ୍ଣ ନାଏକ, ସୁରେଶ ସାହୁ, ନାରାୟଣ ସାହୁ ଆଦି ଚାଷୀଙ୍କ ଜମି ନଦୀରେ ବିଲୀନ ହୋଇଗଲାଣି। ନଦୀର ଦୁଇ ପଟେ ପଥର ପ୍ୟାଚିଂ ନହେବାରୁ ଗତ ୫ବର୍ଷ ମଧ୍ୟରେ ଏମାନଙ୍କର ଅନେକ ଚାଷଜମି ହାତୀ ନଦୀରେ ମିଶିଯାଇ ବାଲିଚର ହୋଇ ଯାଇଥିବା ଅଭିଯୋଗ ହେଉଛି। ତେଣୁ ନଦୀ କୂଳିଆ ଲୋକଙ୍କୁ ତଥା ଚାଷ ଜମିର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର