ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଅହିଂସା ଯାତ୍ରା:କେସିଙ୍ଗାରେ ମହାଶ୍ରମଣ ଜୀଙ୍କୁ ଭବ୍ୟ ସ୍ୱାଗତ

କେସିଙ୍ଗା: ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ନେଇ ଅହିଂସା ଯାତ୍ରାରେ ସାରା ଦେଶ ଭ୍ରମଣରେ ବାହାରିଥିବା ଜୈନ  ମହାଶ୍ରମଣ ଜୀଙ୍କୁ ଗୁରୁବାର କେସିଙ୍ଗାଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କଶୃପଡ଼ା ଠାରୁ ଗୁରୁବାର ମହାଶ୍ରମଣ ଜୀଙ୍କ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଲୋକ ତାଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ। ସେହିପରି କେସିଙ୍ଗା ଏନଏସି ବସଷ୍ଟାଣ୍ଡ ନିକଟରେ ଆଚାଯ୍ୟର୍ଙ୍କୁ ସହରବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସ୍ଥାନୀୟ ବଲାଙ୍ଗୀର ଛକ ନିକଟରୁ ତେରାପନ୍ଥ ଭବନ ଯାଏ ପାଛୋଟି ନିଆ ଯାଇଥିଲା। ହଜାର ହଜାର ମହିଳା, ପୁରୁଷ, ଯୁବକ, ଯୁବତୀ ରାସ୍ତାର ଉଭୟ କଡ଼ରେ ରହି ତାଙ୍କୁ ସ୍ୱାଗତ କରିଥିଲେ। ଜୈନ ତେରାପନ୍ଥ ସଭା ସହିତ ଅଗ୍ରୱାଲ ସଭା ଓ କେସିଙ୍ଗାର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ସ୍ୱାଗତ କରିଥିଲେ।

ସଦର ବିଧାୟକ ଅନାମ ନାଏକ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ପୂର୍ବ ନଗରପାଳ ରାମଜୀନାଥ ଖଣ୍ଡିଆ, ବିଏସଏର ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବ ନଗରପାଳ ରାମକୁମାର ଜୈନ ପ୍ରମୁଖ ବହୁ ବ୍ୟକ୍ତି ପହଞ୍ଚିଥିଲେ। ପରେ ଆଚାଯ୍ୟର୍ ଉପସ୍ଥିତ ଭକ୍ତମାନଙ୍କୁ ପ୍ରବଚନ ଦେଇଥିଲେ। ମହାଶ୍ରମଣ ଜୀ ୨୦୧୪ ମସିହାରେ ନୂଆ ଦିଲ୍ଲୀର ଲାଲକିଲ୍ଲାରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ୟୁପି, ହରିୟାଣା, ମଧ୍ୟପ୍ରଦେଶ, ବିହାର ଯାଇ ପଡ଼ୋଶୀ ନେପାଲକୁ ଯିବା ପରେ ବଙ୍ଗାଲ ହୋଇ ଓଡ଼ିଶାରେ ପହଞ୍ଚିଛନ୍ତି। ଆଗକୁ ଓଡ଼ିଶାରୁ ଦକ୍ଷିଣ ଭାରତକୁ ଯିବେ ବୋଲି ପ୍ରବକ୍ତା କୁମାର ଶ୍ରମଣ ପ୍ରକାଶ କରିଛନ୍ତି। ଆଚାଯ୍ୟର୍ଙ୍କ ଏହି ପଦଯାତ୍ରାରେ ସ୍ଥାନେସ୍ଥାନେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାମାନ ମଧ୍ୟ ଆୟୋଜନ କରାଯାଇଛି। ସାଙ୍ଗରେ ବୁଲୁଥିବା ମୋବାଇଲ ଏମ୍ବୁଲାନ୍ସ ମଧ୍ୟରେ ଆସିଥିବା ଡାକ୍ତରମାନେ ଏହି ମାଗଣା ଚିକିତ୍ସା ଶିବିର ମାଧ୍ୟମରେ ଲୋକଙ୍କୁ ଚିକିତ୍ସା ସେବା ଦେଉଛନ୍ତି। ଆସନ୍ତା ଦୁଇ ଦିନ ଧରି କେସିଙ୍ଗାରେ ଭକ୍ତଙ୍କୁ ପ୍ରବଚନ ଏବଂ ଯୁବ ସମ୍ମଳନୀକୁ ଉଦଘାଟନ କରି ଏହି ତିନୋଟି ବାର୍ତ୍ତାର ସୂଚନା ଦେବେ ବୋଲି ଆୟୋଜକମାନଙ୍କ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର