ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସସନ ଗନ୍ଧରବାରୁ ବିଜରେନ ଖୋଲାଠାରେ ଅସୁସ୍ଥ ଥିବା ଗଜରାଜର ଗତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ ଗୁରୁବାର ରାତିରେ ଗନ୍ଧରବାରୁ ଗ୍ରାମବାସୀ ଅସୁସ୍ଥ ହାତୀ ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ କମର୍ଦ୍ଧା ବନପାଳ ରମେଶ ଚନ୍ଦ୍ର ବାଗ ନିଜ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଲୋକଙ୍କ କହିବା ଅନୁଯାୟୀ, ଦୁଇ ଦିନ ପୂର୍ବେ ନର୍ଲା ବ୍ଲକ ସମରକଟା ଗାଁର ସୀତାରାମ ମାଝୀକୁ ବୁଧବାର ସନ୍ଧ୍ୟା ୭ଟାରେ ନିଜ ଧାନ ଜମିକୁ ଧାନ ଜଗିବା ପାଇଁ ଯାଉଥିବା ସମୟର ହାତୀ ହାବୁଡ଼ରେ ପଡ଼ିଥିଲେ। ସୀତାରାମଙ୍କୁ ଶୁଣ୍ଢରେ ଟେକି ହାତୀ କଚାଡ଼ି ଦେଇଥିବାରୁ ଗାଁ ଲୋକ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ପ୍ରଶ୍ନ ଉଠୁଛି ବନବିଭାଗର ଖାମଖିଆଲି ମନୋଭାବ ଯୋଗୁ ବାରମ୍ବାର ହାତୀ ମଣିଷକୁ ଆକ୍ରମଣ କରୁଥିବା ବେଳେ କେତେବେଳେ ମଣିଷ ଦ୍ୱାରା ଶିକାର ହେଉଛି ହାତୀ।
ବନବିଭାଗ ଦ୍ୱାରା ରାତିରେ ଏଲିଫେଣ୍ଟ ସ୍କ୍ୱାଡ଼ ପାଟ୍ରୋଲିଙ୍ଗ କରାଯାଉନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଘଟଣାସ୍ଥଳକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡିନଥିବାରୁ ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ତେବେ ଅସୁସ୍ଥ ଥିବା ହାତୀର ମୃତ୍ୟୁ ଖବର ଜଣାପଡ଼ିବା ପରେ ରେଞ୍ଜର ପ୍ରଶାନ୍ତ ପାଲ୍ ଓ ନର୍ଲା ଫରେଷ୍ଟର୍ ଭବାନୀ ନାଏକଙ୍କୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଫୋନ୍ କରିଥିଲେ ହେଁ ଫୋନ୍ ଉଠାଇ କୌଣସି ମତାମତ ଦେଇନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/elephant.jpg)