୧୫ ବର୍ଷଧରି ଖତ ଖାଉଛି ହାଉସିଂ କମ୍ପ୍ଲେକ୍ସ

୩୨ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି, ଆହୁରି ଦଶ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପାଇଁ କେବିକେ ଯୋଜନାରେ କୋଟି କୋଟି ଟଙ୍କା ଆସିଥିଲେ ମଧ୍ୟ ଅନୁଦାନ କାର୍ଯ୍ୟକାରୀ ହେବାରେ ଦୂରଦୃଷ୍ଟି ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିରହୁଛି ଫଳରେ ଏହା ଉପଯୋଗୀ ହେଇପାରୁନଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ଯୋଜନାର ଅନୁଦାନ ଠିକାଦାର ପୋଷା ଯୋଗୁଁ ସମ୍ପୂର୍ଣ୍ଣ ହୋଇନପାରି କାଗଜ କଲମରେ ୟୁସି ପ୍ରଦାନ ଯୋଗୁଁ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବାବୁମାନେ ରହିବା ପାଇଁ ୧୩ଟି ଆବାସିକ କ୍ୱାଟର ୧୫ ବର୍ଷଧରି ଅଧପନ୍ତରିଆ ହୋଇ ପଡ଼ିଥିବା ଯୋଗୁଁ ଖତ ଖାଉଥିବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ବହୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୱାଟର ଅଭାବ ଯୋଗୁଁ ସୁଦୂର ଭବାନୀପାଟଣା ସହରରୁ ୭୨କିଲୋମିଟର ଯିବାଆସିବା କରିଥାନ୍ତି । ଏହି କର୍ମଚାରୀମାନଙ୍କ ରହିବା ନିମନ୍ତେ କ୍ୱାଟର ନିର୍ମାଣ ପାଇଁ ୨୦୦୫-୦୬ ମସିହାରେ ଆରଏଲଟିଏପି ଯୋଜନାରେ ୧୩ଟି ଆବାସିକ କ୍ୱାଟର ନିର୍ମାଣ ନିମନ୍ତେ ୪୨ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ ହୋଇଥିଲା । ସେଥି ମଧ୍ୟରୁ ୩୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ୨୦୦୯ ମସିହାରେ ଥୁଆମୂଳ ରାମପୁର ବ୍ଲକ ତରଫରୁ ତିନୋଟି ଠିକାଦାର ଦ୍ୱାରା କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଥିଲା | କିନ୍ତୁ ଏହି କ୍ୱାଟରମାନଙ୍କରେ ଏବେ ମଧ୍ୟ ତଳ ଚଟାଣ , କବାଟ, ଝରକା ଓ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ଫଳରେ ଏହା ଉପଯୋଗୀ ନ ହୋଇ ବର୍ଷ ବର୍ଷ ଧରି ଅଧପନ୍ତରିଆ ହୋଇ ପଡ଼ିରହିଛି ।

ବ୍ଲକ ପକ୍ଷରୁ ପୁନର୍ବାର ରାସ୍ତା ଓ ପାଚେରୀ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା, ପାନୀୟ ଜଳ ଯୋଗାଣ ପାଇଁ ୧୦ ଲକ୍ଷ ଟଙ୍କା , ଟ୍ରାନ୍ସଫର୍ମର ଓ ବିଦ୍ୟୁତକରଣ ପାଇଁ ୧୨ ଲକ୍ଷ ୬୮ ହଜାର ଟଙ୍କା ସମେତ ୩୨ ଲକ୍ଷ ୬୮ ହଜାର ଟଙ୍କା ଅନୁମୋଦନ ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରାଯାଇଥିଲା । ୨୦୧୦ ମସିହାରେ ପାଚେରୀ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମୋଦନ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ କୌଣସି ଅଗ୍ରଗତି ଦେଖାଯାଇନାହିଁ । ବର୍ତ୍ତମାନ ଦୀର୍ଘ ୧୫ ବର୍ଷ ଧରି ଏହି ପ୍ରକଳ୍ପର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଅଧପନ୍ତରିଆ ହୋଇ ପଡ଼ିଥିବା ଯୋଗୁଁ ଏହା ବ୍ୟବହାର ତ ଦୂରର କଥା ଏହାର ପାଚେରୀ, ଗେଟ ଓ କ୍ୱାଟରର ଅବସ୍ଥା ଅର୍ଦ୍ଧଭଗ୍ନ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି । ଏହି କୋଠା ଗୁଡ଼ିକ ଗୁଳ୍ମ ଲତା ଓ ଗଛ ଉଠିଯାଇ ଭୁତ କୋଠି ପାଲଟିଛି । ଜିଲ୍ଳା ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ହରିଲୁଟ ହୋଇଥିବା ତଦନ୍ତ ନ କରିବା ଓ କାମ ସମ୍ପୂର୍ଣ୍ଣ ହେବାନେଇ କୌଣସି ପଦକ୍ଷେପ ନ ନେଉଥିବା ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

କୋଠା ନିର୍ମାଣରେ ତଦାରଖର ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପ୍ରକଳ୍ପ ଅଧଃପନ୍ତରିଆ ହୋଇ ପଡ଼ିରହିଛି । ରାଜନେତାମାନଙ୍କ ଛତ୍ରଛାୟା ତଳେ ଠିକାଦାର ମାନେ କାୟା ବିସ୍ତାର କରିଥିବା ଯୋଗୁଁ କାମ ସମ୍ପୂର୍ଣ୍ଣ ନ ହୋଇ ବିଲ ଉଠାଣ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଏହି ପ୍ରକଳ୍ପ ଭାତହାଣ୍ଡିରୁ ଗୋଟିଏ ଅଟେ । ଏହି ଭଳି ବହୁ ପ୍ରକଳ୍ପ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛି । ଏ ନେଇ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଗଲେ ଦୁର୍ନୀତିର ବହୁ ରହସ୍ୟ ଉନ୍ମୋଚିତ ହେବବୋଲି ସାଧାରଣରେ ଦାବି ହୋଇଛି । ଏ ନେଇ ଡିଆରଡିଏ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର