ଛାତ୍ରୀଙ୍କୁ ଏସିଡ଼ ମାଡ଼ ଘଟଣା : ହାଇଦ୍ରାବାଦରୁ ଧରା ପଡ଼ିଲା ଅଭିଯୁକ୍ତ ପର୍ଶୁରାମ ମାଝୀ

କେସିଙ୍ଗା/କଲମପୁର : ବହୁ ଚର୍ଚ୍ଚିତ ଛାତ୍ରୀଙ୍କୁ ଏସିଡ଼ ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ପର୍ଶୁରାମ ମାଝୀକୁ କଳାହାଣ୍ଡି ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବଡ଼କୁଟୃ ଫାଣ୍ଡି ବଙ୍କାପଲା ଠାରେ ଗତ ୧୫ ତରିଖ ଦିନ କମ୍ପ୍ୟୁଟର କ୍ଲାସ ଯାଉଥିବା କଲେଜ ଛାତ୍ରୀଙ୍କୁ ଏସିଡ଼ ମାଡ଼ କରି ପର୍ଶୁରାମ ଫେରାର ହୋଇଯାଇଥିଲା। କଳାହାଣ୍ଡି ପୁଲିସ ହାଇଦ୍ରାବାଦ ପୁଲିସ ସହାୟତାରେ ସେଠାରୁ ତାକୁ ଗିରଫ କରିଛି।

ଅଭିଯୁକ୍ତ ପର୍ଶୁରାମ ଫେରାର ହୋଇଯିବା ପରେ ମଧ୍ୟ ବିଭିନ୍ନ ସମୟରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଫୋନ କରି ଧମକ ଚମକ ଦେଉଥିଲା। ଏନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କୁ ପ୍ରଥମେ କଲମପୁର ଡାକ୍ତରଖାନା, ପରେ ଭବାନୀପାଟଣା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା। ରେଡକ୍ରସରୁ ଜିଲ୍ଲାପାଳ ୨୫ ହଜାର ଟଙ୍କା ଦେଇ ପୀଡ଼ିତାଙ୍କୁ କଟକ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଇଥିଲେ। ତଥାପି ଅଭିଯୁକ୍ତ ପର୍ଶୁରାମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ବାରମ୍ବାର ଫୋନ୍‌ରେ ହତ୍ୟା ଧମକ ଦେଉଥିଲା। ପୁଲିସ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତକୁ ହାଇଦ୍ରାବାଦରେ ଠାବ କରିଥିଲା। ଅଭିଯୁକ୍ତକୁ ହାଇଦ୍ରାବାଦରେ କୋର୍ଟରେ ଉପସ୍ଥାପନ ପରେ ତାକୁ କଳାହାଣ୍ଡି ଅଣାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର