ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ସହରରେ ସିଟି ବସ୍ ଗଡ଼ିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ, ଅତିରିକ୍ତ ଏସ୍ପି ଅକ୍ଷୟ କୁମାର ଦାସ, ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ, ଭବାନୀପାଟଣା ଉପଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ, ଧର୍ମଗଡ ଉପଜିଲ୍ଲାପାଳ ୱାଇ ବିଜୟ ୟାଦୁଲ୍ଲା, ଭବାନୀପାଟଣା ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ଜୁନାଗଡ ଏନଏସି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ କନ୍ଦପାନ, ଧର୍ମଗଡ ଏନଏସି ଅଧ୍ୟକ୍ଷା ହୀରା ବାଗ, ଆରଟିଓ ଦୀନବନ୍ଧୁ ଶୁଣ୍ଢି, ଭବାନୀପାଟଣା ତହସିଲଦାର ଲକ୍ଷ୍ମଣ ଅମାତ, କେସିଙ୍ଗା ବିଡିଓ ଲମ୍ବୋଦର ଧରୁଆ, ଧର୍ମଗଡ ଓ ଜୁନାଗଡ ଏନଏସି ନିର୍ବାହୀ ଅଧିକାରୀ ଈଶ୍ୱରଚନ୍ଦ୍ର ପୂଜାରୀ, କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ଭବାନୀପାଟଣା-ଜୁନାଗଡ-ଧର୍ମଗଡ, ଧର୍ମଗଡ-ଜୁନାଗଡ-ଭବାନୀପାଟଣା, ଭବାନୀପାଟଣା-କେସିଙ୍ଗା ଓ କେସିଙ୍ଗା-ଭବାନୀପାଟଣା ରୁଟରେ ୪ଟି ସିଟିବସ ପ୍ରଥମ ପର୍ଯ୍ୟାୟରେ ଚଳିତ ଜାନୁଆରି ମାସରେ ଚାଲିବ। ଏନେଇ କଳାହାଣ୍ଡି ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଅଥୋରିଟି ଟ୍ରଷ୍ଟ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ୨ଟି ସିଟି ବସରେ ୩୨ ସିଟ ବିଶିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ବସ ୪୨ ସିଟ ବିଶିଷ୍ଟ ହେବ ବୋଲି ଜଣାପଡିଛି । ଏହି ସିଟି ବସ୍ ଦ୍ୱାରା ୪ଟି ସହରର ଯାତ୍ରୀମାନେ ଉପକୃତ ହେବେ।
କଳାହାଣ୍ଡି ଜିଲ୍ଲାର ୪ଟି ସହରରେ ଗଡ଼ିବ ସିଟି ବସ୍
/sambad/media/post_attachments/wp-content/uploads/2018/01/bus.jpg)
/sambad/media/agency_attachments/2024-07-24t043029592z-sambad-original.webp)