ଭବାନୀପାଟଣା, (ଦେବେନ୍ଦ୍ର ବିଶି): କଳାହାଣ୍ଡି ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁ ପ୍ରସଙ୍ଗର ଅଧିକ ଗୁରୁତ୍ବ ରହିବ? ଚିରାଚରିତ ଭାବେ ‘ଛତିଶଗଡ଼’ର ପ୍ରଭାବ ନା କିଛିଦିନ ତଳେ ସାରାରାଜ୍ୟକୁ ଆଚ୍ଛନ୍ନ କରିଥିବା ‘ମମିତା ମେହେର୍‌’ ପ୍ରସଙ୍ଗ। ଏବେ ଏହାକୁ ନେଇ ସାଧାରଣରେ ଆଲୋଚନା ଦାନା ବାନ୍ଧିଥିବାବେଳେ ରାଜନୈତିକ ଦଳଗୁଡ଼ିକ ନିଜନିଜର ରଣନୀତି ନିର୍ଦ୍ଧାରଣ କରୁଥିବା ଦେଖିବାକୁ ମିଳିଛି।

Advertisment

କଳାହାଣ୍ଡି ଉପରେ ସବୁନିର୍ବାଚନରେ ଛତିଶଗଡ଼ର ପ୍ରଭାବ ରହିଥାଏ। । ଗତ ନିର୍ବାଚନରେ ଛତିଶଗଡ଼ରେ ବିଜେପି ସରକାର ଥିଲା। ସେଠାକାର ନେତା ଲୋକେଶ କାପାଡ଼ିଆଙ୍କ ସ୍ଲୋଗାନ ‘ଛତିଶଗଡ଼‌ ସେ ଆଏହେଁ ଛତିଶ ଲେକର ଯାଏଙ୍ଗେ’ ସଫଳ ହୋଇଥିଲା। କଳାହାଣ୍ଡିରେ ବିଜେପି ୩୩ଟି ଆସନ ହାସଲ କରିବାକୁ ପାଇଁ ସକ୍ଷମ ହୋଇଥିଲା। ବର୍ତ୍ତମାନ ପରିସ୍ଥିତି ବଦଳିଛି ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର ଅଛି। କଂଗ୍ରେସ ସରକାର ଏବେ କଳାହାଣ୍ଡି ଉପରେ ନଜର ଦେଇଛି। ନିକଟରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗାକୁ ଛତିଶଗଡ଼ ମନ୍ତ୍ରୀଙ୍କ ନେତୃତ୍ବରେ ‌କହ୍ନେୟା କୁମାର ଓ ଜିଗ୍ନେଶ ମେୱାନୀଙ୍କ ଭଳି ଜାତୀୟସ୍ତରର ଯୁବନେତାଙ୍କୁ ଅଣାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ନିଜ ପତିଆରା ଦେଖାଇବା ସହିତ କଂଗ୍ରେସ କର୍ମୀଙ୍କୁ ଏକଜୁଟ୍‌ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ବିଜେଡି ପକ୍ଷରୁ ଉଭୟ ବିଜେପି ଓ କଂଗ୍ରେସର ଛାମୁଆ ନେତାମାନଙ୍କୁ ନିଜ ଦଳକୁ ଆଣିବା ପାଇଁ ଗୋଟି ଚାଳନା ଆରମ୍ଭ କରିଛି।

ଅନ୍ୟପକ୍ଷରେ, ବିଜେଡିରେ ଆମଦାନୀ ନେତାଙ୍କ ସଂଖ୍ୟା ବଢ଼ିଯିବାରୁ ଦଳର ଓଭରଲୋଡ୍‌ ସ୍ଥିତି ହୋଇଛି। ଯାହାକୁ ନେଇ ଗୋଷ୍ଠୀ କନ୍ଦଳ ବି ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ନାମକୁ ମାତ୍ର ରହିଛନ୍ତି। ତାଙ୍କୁ ଅଙ୍କୁଶ ଲଗାଇବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି। ପାଣ୍ଠି ଯୋଗାଡ଼ ଠାରୁ ଆରମ୍ଭ କରି ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତାଙ୍କର ପ୍ରଭାବ ରହିଛି।

ସେହିଭଳି, ବିଜେପିରେ ବର୍ତ୍ତମାନ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥ ହୋଇ ଅନେକ ଦିନ ହେବ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଜିଲ୍ଲାରେ ଦଳ ଏବେ ମୁରବି ଶୂନ୍ୟ ହୋଇପଡ଼ିଛି। ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କୁ ପ୍ରଦୀପ୍ତଙ୍କ ଗୋଷ୍ଠୀ ସହ‌ଜରେ ଗ୍ରହଣ କରିପାରୁନାହାନ୍ତି। ବିଜେପିରେ ମାଳ ମାଳ ନେତା ଥିଲେ ମଧ୍ୟ ନେତୃତ୍ବ ନେବା ଦକ୍ଷତାର ଅଭାବ ଦେଖାଦେଇଛି। ସବୁ ଗୋଷ୍ଠୀଙ୍କୁ ଏକାଠି ଯୋଡ଼ିବାରେ ବସନ୍ତ ସଫଳ ହେବେତ ବୋଲି କର୍ମୀ ମହଲରେ ଆଶଙ୍କା ସୃଷ୍ଟି ହୋଇଛି।

‌ତେବେ,ସବୁଦଳ ପାଇଁ ‘ମମିତା ମେହେର’ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମମିତା ପ୍ରସଙ୍ଗରେ ବିଜେଡିକୁ କ୍ଷତି ସହିବାକୁ ପଡ଼ିଛି। ତେବେ, ବିଜେଡିର କ୍ଷତିରୁ ଉଭୟ ବିଜେପି ଓ କଂଗ୍ରେସ କେତେ ଫାଇଦା ପାଇବେ ତାହାକୁ ଏବେଠୁ ଆକଳନ କରିବା କଷ୍ଟ। ଅନ୍ୟପକ୍ଷରେ, ବିଜେଡି କିଭଳି ଭରଣା କରିବା ପାଇଁ ଏହାର ମୁକାବିଲା କରିବ , ତାହାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।