ଭବାନୀପାଟଣା, (ଦେବେନ୍ଦ୍ର ବିଶି): କଳାହାଣ୍ଡି ଜିଲ୍ଲାରେ କୌଶଳ ଭୋଟିଂ ନେଇ ସବୁବେଳେ ରାଜନେତାମାନେ ଚକମା ଖାଇବାର ବହୁ ଦୃଷ୍ଟାନ୍ତ ରହିଛି। ଜିଲ୍ଲାବାସୀଙ୍କ କୌଶଳ ଭୋଟିଂ ନେଇ ଏବେ ଆଶା ଆଶଙ୍କା ନେଇ ରାଜନେତାମାନେ ଅଡ଼ୁଆରେ ପଡ଼ିଛନ୍ତି। ଏହି ଜିଲ୍ଲାରେ ସବୁବେଳେ ରାଜ୍ୟ ରାଜନୀତିର ବିପରୀତ ଭୋଟିଂ ହେଉଥିବାରୁ ସବୁ ଦଳ ଆଶଙ୍କାରେ ରହିଥାନ୍ତି। ଗତ ସାଧାରଣ ନିର୍ବାଚନରେ ୫ଟି ବିଧାନସଭା ଆସନରୁ ମାତ୍ର ଜଣେ ସଦର ବିଧାୟକ ବିଜେପି ନେଇଥିବାବେଳେ ସାଂସଦ ଭାବେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ବିଜୟଲାଭ କରିଥିଲେ। ୫ଟି ବିଧାୟକ ଆସନ ବିଜେଡି ପାଇଥିବା ସତ୍ତ୍ବେ ସାଂସଦ ଆସନ ହରାଇଥିଲା। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ୩୬ଟି ଆସନରୁ ମାତ୍ର ଗୋଟିଏ ଆସନ ପାଇବାକୁ ସକ୍ଷମ ହୋଇଥିଲା। ତେଣୁ ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ଏହି କୌଶଳ ଭୋଟିଂର ସାମ୍ନା କିଭଳି ରାଜନୈତିକ ଦଳ ସାମ୍ନା କରିବେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।
୨୦୧୯ ମସିହା ସାଧାରଣ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର ନର୍ଲା, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼ ବିଧାନସଭା ଆସନରେ ବିଜେଡି ଖାତାକୁ ଯାଇଥିଲା। କେବଳ ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ ବିଜେପି ହାତେଇଥିଲା। ଲୋକସଭା ଆସନ ବିଜେପି ନିକଟକୁ ଯାଇଥିଲା। ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା। ୨୦୧୭ ମସିହା ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ନିଜ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା। ଶାସକ ଦଳ ୩୬ଟି ଆସନରୁ ଗୋଟିଏ ଜିତିଥିବା ବେଳେ ୩୩ଟି ଆସନ ବିଜେପି ହାତେଇଥିଲା। କଂଗ୍ରେସ ଥୁଆମୂଳ ରାମପୁର ବ୍ଲକ୍ର ୨ଟି ଆସନରେ ବିଜୟଲାଭ କରିଥିଲା। ଥୁଆମୂଳ ରାମପୁର ବ୍ଲକ୍ରେ ସିରିମସ୍କା ଘଟଣା କଂଗ୍ରେସକୁ ଫାଇଦା ଦେଇଥିଲା। ଛତିଶଗଡ଼ର ନେତାଙ୍କ ଗୋଟି ଚାଳନା ଓ ମୋଦୀ ଲହର କଳାହାଣ୍ଡି ଜିଲ୍ଲାରେ ବିଜେପିକୁ ଫାଇଦା ଦେଇଥିଲା। ବର୍ତ୍ତମାନ ଶାସକ ଦଳ ବିଜେଡିକୁ ନବୀନ ପଟ୍ଟନାୟକ ଓ ବିଜେପିକୁ ନରେନ୍ଦ୍ର ମୋଦୀ ଭରସା ବୋଲି ଆଲୋଚନା ହେଉଛି।
ସେହିଭଳି କଂଗ୍ରେସ ଦଳ ଭକ୍ତ ଚରଣ ଦାସଙ୍କ ଭରସାରେ ରହିଛି। ଭୋଟରମାନଙ୍କ ପାଇଁ ଶାସକ ଦଳ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଟଙ୍କା ନିର୍ବାଚନୀ ଲାଞ୍ଚ୍ ଭାବେ ବିବେଚନା କରାଯାଉଥିବା ବେଳେ ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ହିତାଧିକାରୀଙ୍କୁ ମିଳୁଛି ବୋଲି ପ୍ରଚାର କରୁଛି। ଏହି ଜିଲ୍ଲାରେ ଉଭୟ ବିଜେପି ଓ କଂଗ୍ରେସ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ତୃଣମୂଳସ୍ତରକୁ ନେଇଛନ୍ତି। ଏହାକୁ ଚେକମେଟ୍ ଦେବା ପାଇଁ ବିଜେଡି କେତେ ସକ୍ଷମ ହେବ ବୋଲି ସାଧାରଣରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କୋଭିଡ୍ ଯୋଗୁଁ ପ୍ରଚାରରେ କଟକଣା ରହିଛି। ଭୋଟରଙ୍କୁ କିଭଳି ଭାବରେ ସାମାଜିକ ଗଣମାଧ୍ୟମ ଓ ଅନ୍ୟ ଉପାୟରେ ପ୍ରଭାବିତ କରିହେବ ବିଭିନ୍ନ ଦଳ ଯୋଜନା ପ୍ରସ୍ତୁତ କରୁଛନ୍ତି। ଜିଲ୍ଲାର ଭୋଟରଙ୍କ ମାନସିକତାକୁ କିଭଳି ମାପି ହେବ ବିଭିନ୍ନ ଦଳ ପକ୍ଷରୁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରାଯାଉଛି।