ରିଷି ଗାଁ ମୌଜାରେ ସରକାରୀ ଜମି ହଡ଼ପ ଘଟଣା: ‘ସମ୍ବାଦ’ ରିପୋର୍ଟ କୁ ଭିତ୍ତି କରି କଳାହାଣ୍ଡି ତହସିଲଦାରଙ୍କ ତଦନ୍ତ ଆରମ୍ଭ

ଆହୁରି ବହୁଲୋକ ସରକାରୀ ଜମି ହଡ଼ପ କରିଥିବା ଗୁମର ଫିଟୁଛି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟସ୍ଥ ରିଷି ଗାଁ ମୌଜାରେ ସରକାରୀ ଜମି ହଡ଼ପ ହୋଇଥିବା ଘଟଣା ଆଜି ସମ୍ବାଦ ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଆଜି କଳାହାଣ୍ଡି ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ଆହୁରି ଅନେକ ଜବର ଦଖଲକାରୀ ସମ୍ପୃକ୍ତ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏ ନେଇ ତୁରନ୍ତ ସବିଶେଷ ରିପୋର୍ଟ ପ୍ରଦାନ ପାଇଁ ସଦର ଆରଆଇଙ୍କୁ ତହସିଲଦାର ନିର୍ଦ୍ଦେଶ ଦେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଖୋଦ ଭବାନୀପାଟଣା ସଦର ମହକୁମାର ରିଷି ଗାଁ ମୌଜା ରେ ରାଜସ୍ୱ ଜମିକୁ ଲୋକେ ଜବର ଦଖଲ ମାଡିବସି ଘର କଲେଣି । ଆଜି ଏନେଇ ସମ୍ବାଦ ରେ ଖବର ପ୍ରକାଶ ପାଇବା ପରେ କଳାହାଣ୍ଡି ତହସିଲଦାର କ୍ଷୀରୋଦ ବିହାରୀ ଭରତ ବିହାରୀ ନାଗ ଓ ସଦର ଆରଆଇ ବୈକୁଣ୍ଠ ପାଣିଗ୍ରାହୀ ଜବର ଦଖଲ ସ୍ଥାନରେ ପହଞ୍ଚିଥିଲେ । ସମ୍ବାଦ ଖବର କୁ ଆଧାର କରି ଗୋଟି ଗୋଟି କରି ତଦନ୍ତ କରିଥିଲେ । ଏହା ବାହାରେ ଆହୁରି ବହୁ ସରକାରୀ ଜମିକୁ ଲୋକେ ମାଡିବସି ଘର ତିଆରି କରିଛନ୍ତି । ଏହି ଅଞ୍ଚଳରେ କେବଳ ୪ ଟି ଗରିବ ପରିବାର ଥିବା ବେଳେ ବହୁ ବିତ୍ତଶାଳୀ ଲୋକ ଏକର ଏକର ଜାଗା ମାଡି ବସିଛନ୍ତି । ଜବର ଦଖଲ ସଂଖ୍ୟା ଅଧିକ ଥିବା ଯୋଗୁଁ ଏହାର ଏକ ତଦନ୍ତ ରିପୋର୍ଟ  ସଦର ଆରଆଇଙ୍କୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଆସିବା ପରେ  ପୁଲିସ ଫୋର୍ସ ସହିତ ଜବର ଦଖଲ ଜମିର ମାପଚୁପ କରିବା ସହିତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଭବାନୀପାଟଣା ସହରରେ ଏଭଳି ବହୁ ମୂଲ୍ୟବାନ ସରକାରୀ ଜମିକୁ ଲୋକେ ମାଡିବସି ଘର କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏନେଇ କଳାହାଣ୍ଡି ତହସିଲଦାରଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ସଦର ଆରଆଇଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ।
ସମ୍ବନ୍ଧିତ ଖବର