କର୍ଲାମୁଣ୍ଡା: ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ଜଣେ ସିଏସପି (ଗ୍ରାହକ ସେବାକେନ୍ଦ୍ର)ର ମାଲିକଙ୍କ ଦୁର୍ବୃତ୍ତମାନେ ଦେଢ଼ଲକ୍ଷ ଟଙ୍କା ଲୁଟି ନେବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁସାରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଏକ ସିଏସ୍ପି ରିଷିଡ଼ାଠାରେ ରହିଛି। ଏହାର ପରିଚାଳକ ମାର୍କଣ୍ଡ ସାହୁ ଆଜି କର୍ଲାମୁଣ୍ଡା ଏସ୍ବିଆଇରୁ ଦେଢ଼ଲକ୍ଷ ଟଙ୍କା ଉଠାଇ ଏକ ସ୍କୁଟିରେ ନରେଶ ଦାସ ନାମକ ଜଣେ ଯୁବକ ଫେରୁଥିଲେ। ସେମାନେ କର୍ଲାମୁଣ୍ଡା-ରିଷିଡ଼ା ରାସ୍ତାର ବ୍ରାହ୍ମଣୀମୁଣ୍ଡା-ତେରେସିଂହା ଛକ ମଝିରେ ହୋଇଥିବା ବେଳେ ଏକ ବାଇକ୍ରେ ୩ ଜଣ ବ୍ୟକ୍ତି ଦ୍ରୁତଗତିରେ ଆସି ଶ୍ରୀ ସାହୁଙ୍କଠାରୁ ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ।
ଖବର ପାଇ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, କର୍ଲାମୁଣ୍ଡା ଫାଣ୍ଡିରେ ପହଞ୍ଚି ତଦନ୍ତ ଚଳାଇଥିଲେ। କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ କୃତ୍ତିବାସ ପୁଝାରୀ, ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଉପସ୍ଥିତ ଥିଲେ। ଏହି ଅଞ୍ଚଳରେ ଏପରି ଘଟଣା ପ୍ରାୟତଃ ଘଟୁନଥିବା ବେଳେ ଆଜିର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିପ୍ରତି ପୁଲିସ ଦୃଷ୍ଟିଦେବାକୁ ଦାବି ହେଉଛି।