ରୁପ୍ରା: ଚଳିତ ଖରିଫ୍ ଋତୁର ପ୍ରାରମ୍ଭରେ ଭଲ ବର୍ଷା ହେବା ଯୋଗୁ ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ, ଗିଗିନା, ଟକର୍ଲା ଗ୍ରାମ ପଞ୍ଚାୟତ ଅଧିନ ସମସ୍ତ ଗ୍ରାମରେ ଚାଷୀ ମାନେ ତତ୍ପରତା ସହ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ସେହିପରି ଧାନ ବୁଣାବୁଣି କରିବା ସହିତ ଧାନପଲା ପକାଇଥିଲେ। ଅର୍ଥକାରୀ ଫସଲ ଭାବରେ କପାଚାଷ ସହିତ ମକା ଓ ହରଡ଼ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।
ଏହିସବୁ ଅଞ୍ଚଳ ଅଣଜଳସେଚିତ ହୋଇଥିବା ବେଳେ ଇନ୍ଦ୍ର ଦେବତାଙ୍କ କୃପା ହେଲେ ଚାଷ ହୋଇଥାଏ। ତେବେ ଧାନ ବୁଣିବାର ଦୁଇମାସ ପରେ ମଧ୍ୟ ଭଲ ବର୍ଷା ନହେବା ଯୋଗୁ ବୁଣା ହୋଇଥିବା ଧାନ ବେଉଷଣ ହୋଇନପାରି ଗଛ ବୁଢା ହେବା ସହ ହଳଦିଆ ଦେଖା ଯାଉଛି। ସ୍ୱଳ୍ପବୃଷ୍ଟି ଯୋଗୁ ଧାନ ଜମିରେ ଅନାବନା ଘାସ ମାଡ଼ି ଯାଉଛି। ତେବେ ସ୍ୱଳ୍ପବୃଷ୍ଟି ଯୋଗୁ କପା, ମକା ଓ ହରଡ଼ ଫସଲ ଠିକ୍ ଥିବାବେଳେ ଧାନ ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୨୦ ପ୍ରତିଶତ ଜମିରେ ଧାନ ରୁଆ ଓ ବେଉଷଣ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ଦେବରାଜ ଇନ୍ଦ୍ରଙ୍କ ଶରଣାପନ୍ନ ହୋଇ ରୁପ୍ରାଠାରେ ଜଗନ୍ନାଥ ମନ୍ଦିର ପରିସରରେ ପୁରାଣ ପାଠ ଓ 'ଇନ୍ଦ୍ରପୂଜା' ବୁଧବାର ସକାଳୁ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଥିବା ବେଳେ ରୁପ୍ରା (ଖମ୍ୱପଡା) ଶ୍ରୀ ବିଶେଶ୍ୱର ଶୈବପୀଠ ଠାରେ ଧ୍ୟାନମଗ୍ନରେ ଥିବା ଋଷ୍ୟଶୃଙ୍ଗ ଋଷିଙ୍କୁ ଆଣିବା ନିମନ୍ତେ ଶ୍ରଦ୍ଧାଳୁମାନେ ଯାଇଥିଲେ। ସେଠାରୁ ଋଷ୍ୟଶୃଙ୍ଗ ଋଷି ଆସି ଘୃତ ଆହୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପୂଜକ ଭାବରେ ପଣ୍ଡିତ ବୃନ୍ଦାବନ ମିଶ୍ର ଓ ଆଦିତ୍ୟ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜାକର୍ତ୍ତା ଭାବରେ ସମାଜସେବୀ ପ୍ରିୟରଞ୍ଜନ ବେହେରା ଦାୟିତ୍ବ ନିର୍ବାହ କରିଥିଲେ। ଋଷ୍ୟଶୃଙ୍ଗ ଋଷି ଭାବରେ ରଜନୀକାନ୍ତ ମିଶ୍ର ରହିଥିଲେ। ଜଗନ୍ନାଥ ମନ୍ଦିର ପୂଜକ ବିନୋଦ ବିହାରୀ ମିଶ୍ର ପୁରାଣ ପାଠ କରିଥିଲେ। ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ ଓ ସମ୍ପାଦକ ଗୌରଚନ୍ଦ୍ର ଭୋଇଙ୍କ ସମେତ ଗ୍ରାମବାସୀ ଓ ମହିଳା ମାନେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/30/new-project-4-2025-07-30-19-21-07.jpg)