ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା:୨୦ ଦିନ ପରେ ମଧ୍ୟ ଟେର ପାଉନି ପୁଲିସ

ଜୁନାଗଡ: ଜୁନାଗଡ ଥାନା ଅନ୍ତର୍ଗତ ବଡ ଡୁମେରବାହାଲ ଗାଁର ଏକ ବରଗଛରେ ପ୍ରେମୀ ଯୁଗଳଙ୍କ ଝୁଳନ୍ତା ଶବ ଉଦ୍ଧାର ହେବା ଘଟଣାର ୨୦ ଦିନ ବିତିଯାଇଥିଲେ ସୁଦ୍ଧା ଜୁନାଗଡ ପୁଲିସ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ନ କରିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଜୁନାଗଡ ଥାନା ଅନ୍ତର୍ଗତ ମେରିଆବନ୍ଧଲି ପଞ୍ଚାୟତର ବଡ ଡୁମେରବାହାଲ ଗାଁର ଏକ ବରଗଛରେ ଗତ ୧୧ ତାରିଖ ଦିନ ଖର୍ଲାବେଡା ଗ୍ରାମର କେଦାର ରଣା(୨୫) ଓ ମାଣିକାପଦର ଗ୍ରାମର ତିରୁମାଲା ହଂସ(୧୮)ଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ଗୋଟିଏ ଓଢଣିକୁ ଦୁଇଫାଳ କରି ଦୁଇଜଣଙ୍କ ବେକରେ ଫାଶୀ ଲଗାଯାଇଥିବା ବେଳେ ଗୋଡ ମାଟିରେ ଲାଗିଥିବା ଯୋଗୁଁ ମୃତ କେଦାର ରଣାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଗତ ୧୧ ତାରିଖ ଦିନ ଥାନାରେ ଅଭିଯୋଗ କରାଯାଇଥିଲା। ହେଲେ ଏଯାଏ ପୁଲିସ ଘଟଣାର ପର୍ଦ୍ଦାଫାସ କରିପାରି ନାହିଁ। ଏହାର ତଦନ୍ତ କରିବା ପାଇଁ ମୃତ କେଦାର ରଣାଙ୍କ ସ୍ତ୍ରୀ ପଦ୍ମକେଶୀ ରଣା ଗତ ୨୧ ତାରିଖରେ କଳାହାଣ୍ଡି ଏସପିଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲେ । ଏସପିଙ୍କ ସହିତ ସାକ୍ଷାତ ନହେବାରୁ ଅତିରିକ୍ତ ଏସପିଙ୍କୁ ଲିଖିତ ଅନୁରୋଧ କରିଥିଲେ। ଅଭିଯୋର ୯ ଦିନ ପରେ ମଧ୍ୟ ନ୍ୟାୟ ମିଳି ନଥିବାରୁ ପରିବାର ଲୋକେ ଜୁନାଗଡ ଥାନା ସମ୍ନାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏନେଇ ଜୁନାଗଡ ଆଇଆଇସି ରାଜେନ୍ଦ୍ର ଦେହୁରୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ଶବ ବ୍ୟବ‌େଚ୍ଛଦ ରିପୋର୍ଟ ଆସିନାହିଁ ବୋଲି କହିଥିଲେ। ଅନ୍ୟପକ୍ଷେ ଆତ୍ମହତ୍ୟାର ୨୦ ଦିନ ପରେ ବି ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ଘଟଣାକୁ ରହସ୍ୟମୟ କରୁଛି। ଏଣୁ କଳାହାଣ୍ଡି ଏସପି ମାମଲାରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର