ଭବାନୀପାଟଣା: ରାଜସ୍ୱ ଉପଖଣ୍ଡ(ସବଡିଭିଜନ୍) ଦାବିରେ କଳାହାଣ୍ଡି ଜିଲ୍ଲାର ମଦନ ରାମପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ଜଣାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ ୧୯୯୩ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଦନ ରାମପୁରକୁ ରାଜସ୍ୱ ଉପଖଣ୍ଡ (ସବଡିଭିଜନ୍)ର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଥିଲେ। ହେଲେ ଏହି ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୨୮ ବର୍ଷ ବିତିଯାଇଥିଲେ ବି ଉକ୍ତ ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ। ଏହି କାରଣରୁ ମଦନ ରାମପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି। ମଦନରାମପୁର ସହିତ ନର୍ଲା ଓ କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ବନ୍ଦ ପାଳନ କରାଯାଉଛି। ଆଜି ମଦନ ରାମପୁରରେ ଦୋକାନବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହାଛଡ଼ା ବସ୍ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି।

Advertisment

ସୂଚନାଯୋଗ୍ୟ, ଏବେ କଳାହାଣ୍ଡି ଜିଲ୍ଲାରେ ମାତ୍ର ଦୁଇଟି ସବଡିଭିଜନ୍ (ଭବାନୀପାଟଣା ଓ ଧର୍ମଗଡ଼) ରହିଛି।

publive-image

ଏଣେ ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏକ ଜନ ସମାବେଶ ଓ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଆଇନଜୀବୀ କୁବେର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ନର୍ଲା ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଂଗ୍ରେସ ବ୍ଲକ ସଭାପତି ସମୀର ଚାନ୍ଦ, ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ଶିଳ୍ପପତି ବିମଳ କେଡ଼ିଆ, ବିଜେପିର ବରିଷ୍ଠ ନେତା ପର୍ଶୁରାମ ପଣ୍ଡା, ବୁଦ୍ଧିଜୀବୀ ତଥା ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ଉପସ୍ଥିତ ଜନତା ମତବ୍ୟକ୍ତ କରି କହିଥିଲେ, ଭୌଗୋଳିକ ଦୃଷ୍ଟି କୋଣରୁ ଉପଖଣ୍ଡ ହେବାପାଇଁ ନର୍ଲା ହିଁ ଉପଯୁକ୍ତ ସ୍ଥାନ। କାରଣ କର୍ଲାମୁଣ୍ଡା, ମ.ରାମପୁର ଓ ଲାଞ୍ଜିଗଡ ବ୍ଲକର ମଧ୍ୟସ୍ଥଳରେ ନର୍ଲାବ୍ଲକ ଥିବାରୁ ନର୍ଲାକୁ ଉପଖଣ୍ଡ ମାନ୍ୟତା ଦେବା ଯୁକ୍ତିଯୁକ୍ତ। ଆଜିଠୁଁ ଆନ୍ଦୋଳନ ଜାରି ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁର୍ଲଭ ମାହାର, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସରୋଜ ବୁଦ୍ଧିଆ, ସମାଜସେବୀ କାମିନୀ କିନ୍ନରଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଯିବୀ ଯୋଗଦାନ କରି ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ନିଜର ମତାମତ ଉପସ୍ଥାପନା କରିଥିଲେ ।