ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧୀନ ବିଭିନ୍ନ ଅଞ୍ଚଳରେ ରବିବାର ଅପରାହ୍ନରେ କାଲ ବୈଶାଖୀର ପ୍ରଭାବ ଯୋଗୁଁ ଜୋର୍ ପବନ ସହ କାଁଭାଁ ବର୍ଷା ବି ହୋଇଥିଲା। ଫଳରେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ରହିଥିଲା। ସେହିପରି ବଡ଼ଧାରପୁର ଗ୍ରାମର ଟ୍ରାନ୍ସଫର୍ମର ଫ୍ୟୁଜ୍ ମଧ୍ୟ ଉଡ଼ିଯାଇଥିଲା। ଫଳରେ ସନ୍ଧ୍ୟା ହେବାରୁ ଗ୍ରାମ ଅନ୍ଧକାର ହୋଇଥିଲା। ଗ୍ରାମରେ ବିଦ୍ୟୁତ୍ ବିଭାଗର କୌଣସି କର୍ମଚାରୀ ନଥିବାରୁ ଗାଁ ର କିଛି ପିଲା ଟ୍ରାନ୍ସଫରମାରର ଫ୍ୟୁଜ୍ ବାନ୍ଧିବା ପାଇଁ ଯାଇଥିଲେ। ଲମ୍ବୋଦର ଦୋରା ୨୮ ବର୍ଷ ବୟସ ଟ୍ରାନ୍ସଫରମରକୁ ଫ୍ୟୁଜ୍ ବାନ୍ଧିବା ପାଇଁ ଉପରକୁ ଚଢିଥିଲେ।

ହଠାତ୍ ସେତିକି ବେଳେ ବିଦ୍ୟୁତ୍ ଚାର୍ଜ୍ ହୋଇଯିବାରୁ ଘଟଣାସ୍ଥଳରେ ହିଁ ଟ୍ରାନ୍ସଫରମାରରେ ଲମ୍ବୋଦର ଲଟକି ରହି ମୃତ୍ୟୁବରଣ କରିଥିଲେ। ଗାଁରେ ଏହି ଖବର ପ୍ରଚାରିତ ହେବାପରେ ଦେଖିବାକୁ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି। ଗ୍ରାମର କିଛି ବ୍ୟକ୍ତି ନର୍ଲା ଥାନାକୁ ଘଟଣା ବାବଦରେ ଅବଗତ କରାଇବାରୁ ସଙ୍ଗେ ସଙ୍ଗେ ନର୍ଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରାନ୍ସଫରମରରେ ଲଟକି ରହିଥିବା ଶବକୁ ତଳକୁ ଓହ୍ଲାଇ ଶବ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ତେବେ ମୃତକ ଲମ୍ବୋଦର ଉକ୍ତ ଗ୍ରାମର ହଳଧର ଦୋରାଙ୍କ ଏକମାତ୍ର ରୋଜଗାରକ୍ଷମ ପୁଅ ଥିବା ବେଳେ ତାଙ୍କ ପଛରେ ପତ୍ନୀ ଓ ଛୋଟ ଛୋଟ ପୁଅଝିଅଙ୍କୁ ଛାଡ଼ି ଯାଇଛନ୍ତି। ଉକ୍ତ ପରିବାର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇଥିବା ବେଳେ ସରକାରଙ୍କ ତରଫରୁ ଓ ବିଦ୍ୟୁତ୍ ବିଭାଗ ତରଫରୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି।


ସୂଚନା ଥାଉକି ନର୍ଲା ଅଞ୍ଚଳରେ କିଛି ଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛନ୍ତି। ପ୍ରତିଦିନ ମଧ୍ୟରାତ୍ରିରେ ଦୁଇ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଓ ଏଥିପାଇଁ ନର୍ଲା ବିଦ୍ୟୁତ୍ ଉପଖଣ୍ଡ ଅଫିସକୁ ଘେରାଉ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏବାବଦରେ ଉପଖଣ୍ଡ ଏସ୍. ଡି. ଓ ଦୀପକ ବେହେରାଙ୍କ ମତାମତ ପାଇଁ ଫୋନ୍ କଲେ ମଧ୍ୟ ଫୋନ୍ ଊଠାଉ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର