ଫୁଲଡୁମେରରେ ମାଓ ପୋଷ୍ଟର, ନିୟମଗିରି ପାହାଡ଼ ଅଞ୍ଚଳରେ ରାସ୍ତା କାମକୁ ବିରୋଧ

୨ରୁ ପିଏଲ୍‌ଜିଏ ସପ୍ତାହ ପାଳନ କରିବାକୁ ନିବେଦନ 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ ପାଦଦେଶରେ ଥିବା ଫୁଲଡୁମେର ଗାଁରେ ଗୁରବାର ମାଓ ପୋଷ୍ଟର ଓ ବ୍ୟାନ୍‌ର ମରାଯାଇଥିବା ଦେଖିବାକୁ ମିଳିଛି। ନିୟମଗିରି ଅଞ୍ଚଳରେ ସକ୍ରିୟ ହୋଇ ବଂଶଧାରା- ଘୁମୁସର- ନାଗାବଳୀ ଡିଭିଜନ୍‌ ମାଓ ସଂଗଠନ ପୋଷ୍ଟର ମାରି ରାସ୍ତା କାମକୁ ବିରୋଧ କରି ନିଜର ଉପସ୍ଥିତ ଜାହିର କରିଛି। ଫୁଲଡୁମେର ଗାଁଠାରୁ ନିୟମଗିରି ପାହାଡ଼ ଅଞ୍ଚଳରେ ଯଦି ରାସ୍ତା କରାଯାଏ ତେବେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପୋଷ୍ଟରରେ ବିରୋଧ କରାଯାଇଛି। ବିଭିନ୍ନ ଗ୍ରାମକୁ ଯୋଗାଯୋଗ କରିବା ପାଇଁ ରାସ୍ତା ନଥିବାରୁ ଜିଲ୍ଲା ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଥିପାଇଁ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ମାଓ ସଂଗଠନ। ବହୁରାଷ୍ଟ୍ରୀୟ କମ୍ପାନି ଓ ଦଲାଲ ହାତରେ ନିୟମଗିରି ପାହାଡ଼ ଟେକିଦେବା ପାଇଁ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରି ରାସ୍ତା କାମକୁ ସଂଗଠନ ବିରୋଧ କରିଛି। ବ୍ୟାନ୍‌ରେ ଆସନ୍ତା ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ କରିବା ପାଇଁ ବାଘୁନା ଡିଭିଜନ୍‌ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର