ଭବାନୀପାଟଣା: ପୁଣି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କୀଟପଦାରରେ ଲାଗିଲା ମାଓ ପୋଷ୍ଟର। ଏମ୍ ରାମପୁର ଥାନା ଅନ୍ତର୍ଗତ ଡମ୍ବକରଲାଖୁଣ୍ଟା, ମାଣିକେରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରି ଲଗାଇଛନ୍ତି ମାଓ ପୋଷ୍ଟର। କେକେବିଏନ ଡିଭିଜିନାଲ କମିଟି ପକ୍ଷରୁ ଲାଗିଛି ମାଓ ପୋଷ୍ଟର। ପୋଲିସ ଇନଫରମର କାମ କରନ୍ତୁ ନାହିଁ।ଡେଟୋନେଟର ଲଗାଇବା ସହ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ।
ପୁଲିସ ଓ ଗୁଇନ୍ଦା ଅଫିସର ଭୟର ଚାପ ଓ ପ୍ରଲୋଭନରେ ପଡନ୍ତୁ ନାହିଁ। ଗାଁ ଗାଁରେ ଥିବା ପୁଲିସ ସୂଚନାଦାତାଙ୍କୁ ଚିହ୍ନଟ କରି ମାଓବାଦୀ ପାର୍ଟିକୁ ସୂଚନା ଦିଅନ୍ତୁ, ପାର୍ଟି ବିରୁଦ୍ଧରେ ଓ ପୁଲିସକୁ ସୂଚନା ଦେବା ପାଇଁ କହୁଥିବା ବ୍ୟକ୍ତିକୁ ବିରୋଧ କରିବା ପାଇଁ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି। ସୂଚନା ଥାଉ କି ଗତ ୯ ତାରିଖ ଦିନ ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ଯବାନ ମଧ୍ୟରେ ହୋଇଥିବା ଗୁଳି ବିନିମୟ ରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଆଇଡବ୍ଳୁ ର ଡିଏସପି ଗୁରୁତର ଆହତ ହୋଇଥିଲେ। ପରେ ମାଓବାଦୀମାନେ ରକ୍ତମୁଖା ହୋଇ ପୋଷ୍ଟର ଲଗାଇଥିବା ଆଲୋଚନା ହେଉଛି। ଫଳରେ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନ ଥିବା ଦେଖିବାକୁ ମିଳିଛି।