ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ନୂନପାଣି ଗ୍ରାମରେ ପ୍ରେମିକ ଦ୍ବାରା ପ୍ରତାରିତ ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପ୍ରେମିକା। ଶବକୁ ପ୍ରେମିକ ଘର ଆଗରେ ରଖି ପ୍ରେମିକର ଗିରଫ ଦାବି କରିଛନ୍ତି ଝିଅ ଘର ଲୋକେ।
ଗ୍ରାମର ନାବାଳିକା ରିମା ନାଗଙ୍କ ବୁର୍ଲାଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ରିମା ନାଗ ଓ ଗ୍ରାମର ସମୀର ପୁଝାରି ନାମକ ଯୁବକଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା।ତେବେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁଁ ପ୍ରେମରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଥିଲା। ରିମା ନିଜର ସର୍ବସ୍ବ ସମୀର ପାଖରେ ଅର୍ପଣ କରିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଅଡ଼ି ବସିଥିଲା। ହେଲେ ସମୀର ଭିନ୍ନ ଜାତିର ହୋଇଥିବା ନେଇ ବିବାହକୁ ଅସ୍ଵୀକାର କରିଥିଲା। ରିମାକୁ ଶେଷରେ ବିଷ ପିଇ ମରିଯିବାକୁ କହି ସେ ବିଷ ଆଣି ଦେଇଥିଲେ।ଶେଷରେ ପ୍ରେମିକା ରିମା ନିରାଶ ହୋଇ ସମୀର ଦେଇଥିବା ବିଷକୁ ଗତ ୧୯ ତାରିଖ ଦିନ ସମୀରଙ୍କ ଘର ଆଗରେ ପିଇଥିଲେ। ଗୁରୁତର ଭାବେ ଉଦ୍ଧାର କରି ସମୀରର ବାପା ମାଆ ପ୍ରଥମେ ଧର୍ମଗଡ଼, ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।
ଗତକାଲି ଦିନ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ରିମାର ମୃତ୍ୟୁ ହୋଇଥିଲା।ମୃତଦେହ ଗାଁକୁ ସନ୍ଧ୍ୟା ୭ଟାରେ ପହଞ୍ଚିବା ପରେ ରିମାର ପରିବାର ନିଜ ଘରକୁ ନ ଆଣି ସିଧାସଳଖ ସମୀରଙ୍କ ଘର ସମ୍ମୁଖରେ ରଖି ସମୀରର ଗିରଫ ଦାବିରେ ଅଡ଼ି ରହିଥିଲେ।
ସୂଚନା ଅନୁଯାୟୀ ଏହି ଘଟଣାକୁ ନେଇ ରିମାର ବାପା ଗତ ୨୨ ତାରିଖ ଦିନ କୋକସରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ମୃତ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି।