ଅର୍ଥ ହେରଫେର ମାମଲାର ଶୁଣାଣି:ପୂର୍ବ ସରପଞ୍ଚ ଓ ପିଇଓଙ୍କୁ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚ‌ାୟତର ପୂର୍ବ ସରପଞ୍ଚ ବିଦ୍ୟାଧର ସାହୁ ଓ ପିଇଓ ମନ୍ଦରଧର ବିଶି ୩ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗରେ ଶୁକ୍ରବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ହୋଇଛନ୍ତି। ଉଭୟଙ୍କୁ ଅଦାଲତ ପାଞ୍ଚବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଯେ, ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚାୟତରେ ୨୦୧୦ରୁ ୨୦୧୨ ମସିହା ମଧ୍ୟରେ ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବାକେନ୍ଦ୍ର ନିର୍ମାଣରେ ପୂର୍ବ ସରପଞ୍ଚ ଶ୍ରୀ ସାହୁ ଓ ପିଇଓ ଶ୍ରୀ ବିଶି ୩ ଲକ୍ଷ ୧୪ ହଜାର ୩୪୭ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଭବାନୀପାଟଣା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା। ଶୁକ୍ରବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ ମିଶ୍ର ମାମଲାର ଶୁଣାଣି କରିଥିଲେ। ପୂର୍ବ ସରପଞ୍ଚ ଶ୍ରୀ ସାହୁ ଓ ପିଇଓ ଶ୍ରୀ ବିଶିଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର