ପାଞ୍ଚ ଶହରୁ ଅଧିକ ପ୍ରାଣୀଙ୍କ ବଳି: ରକ୍ତ ଭିଜିଲା ଶୈବ ଓ ଚଣ୍ଡୀ ପୀଠ

କର୍ଲାମୁଣ୍ଡା: ଆଦିବାସୀଙ୍କ ପ୍ରଥା ଓ ପରମ୍ପରା ମୁତାବକ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗମରେ ଥିବା ଐତିହାସିକ ସପ୍ତମାତୃକା ଶୈବପୀଠ ପରିସରରେ ଶୁକ୍ରବାର ବଳି ଦିଆଯାଇଛି। ମଧ୍ୟରାତ୍ରରେ ମା’ ଭୈରବୀ ତାଲଭଁରା ଗ୍ରାମରେ ଥିବା ମୁଖ୍ୟ ପୂଜକ ଦ୍ୱାରିକା ପ୍ରସାଦ ସିଂଙ୍କ ଘରୁ ବାହରି ଭୋରରେ ଧବଳେଶ୍ୱର ପୀଠରେ ପହଞ୍ଚିଥିଲେ। ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ୱରଙ୍କ ମନ୍ଦିରରୁ ଚଣ୍ଡୀ କାଳିସୀ ରୂପରେ ସବାର ହେବା ପରେ ତାଙ୍କୁ କାନ୍ଧରେ ବୋହି ଦେବମୁହାଣ ପର୍ଯ୍ୟନ୍ତ ଅଣାଯାଇଥିଲା।

ଦେବ ମୁହାଣରେ ପ୍ରଥମେ କଳାହାଣ୍ଡି ରାଜାଙ୍କ ଦ୍ୱାରା ପ୍ରେରିତ ବୋଦାକୁ ବଳି ଦିଆଯାଇଥିଲା। ପ୍ରଥାନୁଯାଇ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀର ଅଠର ମାଝୀ ଷୋହଳ ପ୍ରଧାନୀ ଆଦିବାସୀମାନଙ୍କଠାରୁ ଅରୁଆ ଚାଉଳ, ଫୁଲ, ସିନ୍ଦୁର ଏବଂ ଟାଙ୍ଗିଆ ଆସିବା ପରେ ସିଦ୍ଧେଶ୍ୱରୀ ପୀଠରେ ପୁଜା କରାଯାଇଥିଲା। ସେହିଭଳି ଗୁର୍ଜୀଭଟାରୁ ଆସିଥିବା ନିଶାନରେ ଦେବୀ ବସିବା ପରେ କଣ୍ଟାଦୋଳିରେ ଦୋଳି ଖେଳିଥିଲେ। ପରେ ପରେ ସିଦ୍ଧେଶ୍ୱରୀ ଚଣ୍ଡୀଙ୍କଠାରେ ମନସ୍କାମନା କରିଥିବା ଭକ୍ତମାନେ ଆଣିଥିବା ୫ଶହରୁ ଅଧିକ ବୋଦାକୁ ବଳି ଦିଆଯାଇଥିଲା।
ରୁପ୍ରା: ନର୍ଲା ବ୍ଲକ୍‌ ଅନ୍ତର୍ଗତ ରୁପ୍ରା ଖମ୍ବପଡ଼ା ଶିବମନ୍ଦିର ପରିସରରେ ଥିବା ଚଣ୍ଡୀପୀଠ ଶୁକ୍ରବାର ଦିନ କୁକୁଡ଼ା, ବୋକା, ଗର୍‌ରା ରକ୍ତରେ ରକ୍ତରଂଜିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫାଲଗୁନ ଅମାବାସ୍ୟା ତିଥିରେ ଅଞ୍ଚଳର ମାନସିକଧାରୀମାନେ କୁକୁଡ଼ା, ବୁକା ବଳି ଦେଇଥିଲେ। ମନ୍ଦିର ପୂଜକ ରାଧାକାନ୍ତ ପୂଝାରୀ ତଥା ନିତ୍ୟା ପୂଜାରୀ ପୂଜାର୍ଚ୍ଚନା କରିଥିଲେ। ପୂଜକ ରାଧାକାନ୍ତ ପୂଝାରୀଙ୍କ ଦେହରେ କାଳିସୀ ଲାଗିଥିଲା।

ସମ୍ବନ୍ଧିତ ଖବର